‘ଅଗ୍ନିପଥ’କୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଲା ବାୟୁସେନା; ଅଗ୍ନିବୀର ପାଇବେ ସୁବିଧା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ବାୟୁସେନା ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ଦରମା, ଛୁଟି ଓ ୟୁନିଫର୍ମ ବାବଦରେ ସମସ୍ତ ବିସ୍ତୃତ ତଥ୍ୟ ଦେଇଥିବା ଦେଖିବାକୁ ମିଳିଛି ।  ବାୟୁସେନାର ସୂଚନା ମୁତାବକ ୧କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ୍‌ ସୁବିଧା ପାଇବେ ଅଗ୍ନିବୀର । ତାହା ସହ ସେମାନେ ଚାକିରିରେ ନିଯୁକ୍ତ ଥିବା ସମୟରେ ସହିଦ ହେଲେ ୧କୋଟି ଟଙ୍କାର ସହାୟତା ତାଙ୍କ ପରିବାରକୁ ଦିଆଯିବ ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ଡ୍ୟୁଟି କରିବା ସମୟରେ ଅର୍ଥାତ୍‌ କର୍ମକ୍ଷେତ୍ରରେ ଯଦି ଜଣେ ଅଗ୍ନିବୀର ବିକଳାଙ୍ଗ ହୁଅନ୍ତି ତେବେ ତାଙ୍କୁ ୪୪ଲକ୍ଷ ଟଙ୍କା ବାୟୁସେନା ପକ୍ଷରୁ ସହାୟତା ଦିଆଯିବ ବୋଲି କୁହାଯାଇଛି ।ଏଥି ସହିତ ଅଗ୍ନିବୀର ମାନଙ୍କୁ ବର୍ଷକୁ ୩୦ ଦିନର ଛୁଟି ସହ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ମଧ୍ୟ ଛୁଟିମିଳିବ । ପ୍ରଥମ ବର୍ଷରେ ଅଗ୍ନିବୀର ମାନେ ମାସିକ ୩୦ ହଜାର ଟଙ୍କା ଦରମା ପାଇବେ । ସମ୍ପୂର୍ଣ୍ଣ ଦରମାରୁ ୨୧ ହଜାର ଟଙ୍କା ଅଗ୍ନିବୀରଙ୍କ ବ୍ୟାଙ୍କ ଖାତାକୁ ଯିବ ଏବଂ  ବଳକା ୯ ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ ବୋଲି ବାୟୁସେନାର ସୂଚନା ଦେଇଛି । ପ୍ରତିବର୍ଷ ଦରମା ବୃଦ୍ଧି ହେବା ସାଙ୍ଗକୁ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ଅଗ୍ନିବୀର ପାଇବେ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ ରହିବା ସହ ୪ ବର୍ଷ ପରେ ୧୦.୦୪ଲକ୍ଷ ଟଙ୍କା ମିଳିବ ବୋଲି କୁହାଯାଇଛି ।ଅନ୍ୟପଟେ ‘ଅଗ୍ନିପଥ’ ନିଯୁକ୍ତିକୁ ନେଇ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ । ‘ଅଗ୍ନିପଥ’ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୈଠକ ଡକାଇଛନ୍ତି । ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ୩ ସେନାର ମୁଖ୍ୟ ଉପସ୍ଥିତ ରହିଥିିବା ଜଣାପଡ଼ିଛି ।

Spread the love