ଏୟାର ଏସିଆ ବିମାନର ଜରୁରୀ ଅବତରଣ

ବେଙ୍ଗାଲୁରୁ: ଏୟାର ଏସିଆର ଏକ ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବେଙ୍ଗାଲୁରୁରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଏଆଇଏକ୍ସ କନେକ୍ଟ (ପୂର୍ବର ଏୟାର ଏସିଆ ଇଣ୍ଡିଆ)ର ଏହି ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଉଡ଼ାଣ ଭରିବାର ମାତ୍ର ୧୦ ମିନିଟ୍‌ ପରେ ମଝି ଆକାଶରୁ ଫେରିଆସି ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆଇ୫-୨୪୭୨ ବିମାନଟି ଆଜି (ଶନିବାର) ସକାଳ ପ୍ରାୟ ୬ଟା ୪୫ମିନିଟ୍‌ରେ ଉଡ଼ାଣ ଭରିଥିଲା ଏବଂ ସକାଳ ୯ଟା ସୁଦ୍ଧା ଲକ୍ଷ୍ନୌରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ଏହାକୁ ଗ୍ରାଉଣ୍ଡ ୍‌ କରି ଦିଆଯାଇଥିଲା। ଏଆଇଏକ୍ସ କନେକ୍ଟର ମୁଖପାତ୍ର କହିଛନ୍ତି ଯେ, ଏଆଇଏକ୍ସ କନେକ୍ଟର ବେଙ୍ଗାଲୁରୁରୁ ଲକ୍ଷ୍ନୌକୁ ଉଡ଼ାଣ ଭରିବାକୁ ଥିବା ଆଇ ୫-୨୪୭୨ ବିମାନଟିରେ ବୈଷୟିକ ସମସ୍ୟା ଦେଖାଦେବା ପରେ ବିମାନର ପାଇଲଟ ବିମାନଟିକୁ ବେଙ୍ଗାଲୁରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିଲେ।

ବିମାନଟି ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିବା ପରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ସେମାନଙ୍କୁ ଅନ୍ୟ ଏକ ବିମାନରେ ଲକ୍ଷ୍ନୌ ପଠା ଯାଇଥିଲା ବୋଲି ଏଆଇଏକ୍ସ କନେକ୍ଟର ମୁଖପାତ୍ର କହିଛନ୍ତି।

Spread the love