ପୁରୀ ବିମାନବନ୍ଦର ଆବେଦନ

ଭୁବନେଶ୍ୱର : ପୁରୀରେ ପ୍ରସ୍ତାବିତ ଗ୍ରୀନ୍‍ଫିଲ୍ଡ ଏୟାରପୋର୍ଟ ପ୍ରକଳ୍ପ ଆଉ ଏକପାଦ ଆଗକୁ ଯାଇଛି। ବିମାନବନ୍ଦର ପ୍ରତିଷ୍ଠା ନିମନ୍ତେ ଗତବର୍ଷ ପ୍ରି-ଫିଜିବିଲିଟି ରିପୋର୍ଟ ହସ୍ତଗତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଗ୍ରୀନ୍‍ଫିଲ୍ଡ ଏୟାରପୋର୍ଟ ନୀତିରେ ଏହି ପ୍ରକଳ୍ପକୁ ସାମିଲ କରାଯିବ। ଏଥିପାଇଁ ବିଧିବଦ୍ଧ ପ୍ରସ୍ତାବ ଦାଖଲ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟ ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛି।ପୁରୀରେ ଶ୍ରୀ ଜଗନ୍ନାଥଙ୍କ ନାମରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଶ୍ରୀ ଜଗନ୍ନାଥ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଚାରିଧାମକୁ ସଂଯୋଗ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଏହି ବିମାନବନ୍ଦର ବେଶ୍‍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ। ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ମାରିଛନ୍ତି। ପ୍ରକଳ୍ପ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଜମି ଚିହ୍ନଟ କରିଛି। ଏହି କ୍ରମରେ ଗତବର୍ଷ ଜୁନ୍‍ ମାସରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ବିଶେଷଜ୍ଞ ଦଳ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରି ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରାଳୟ ନିକଟରେ ଦାଖଲ କରି ସାରିଛନ୍ତି। ଅଗଷ୍ଟ ମାସରେ ଏହି ରିପୋର୍ଟର ନକଲ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଏହା ପରେ ପ୍ରକଳ୍ପ ନେଇ କୌଣସି ଅଗ୍ରଗତି ହୋଇନାହିଁ। ଆଜି କେନ୍ଦ୍ର ସରକାର ଏ ନେଇ ରାଜ୍ୟ ସରକାରଙ୍କୁ ଆଗାମୀ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବା ପରେ ପ୍ରକଳ୍ପ ନେଇ ଆଶା ସଞ୍ଚାର ହୋଇଛି।କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅନୁସଚିବ ଅମିତ କୁମାର ଝା ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଯେ ଦେଶରେ ଗ୍ରୀନ୍‍ଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏହି ବର୍ଗରେ ନୂଆ ବିମାନବନ୍ଦର ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ଫର୍ମାଟରେ ଆବେଦନ କରିବା ଜରୁରୀ। ଏହି ଆବେଦନକୁ ଷ୍ଟିଅରିଂ କମିଟି ଆଗରେ ଉପସ୍ଥାପନ କରାଯିବ। ଏହା ପରେ ଯାଇ ପ୍ରକଳ୍ପକୁ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରାଯିବ। ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ହାରୋ)ର ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି, ପୁରୀରେ ଏକ ବିଶ୍ୱସ୍ତରୀୟ ବିମାନବନ୍ଦର ନିର୍ମାଣ ହେବା ଜରୁରୀ। ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକଳ୍ପକୁ ମନ୍ତ୍ରାଳୟ ସବୁଜ ସଙ୍କେତ ମଧ୍ୟ ପ୍ରଦାନ କରିଛନ୍ତି। ପରିତାପର ବିଷୟ ଚଳିତ ବଜେଟ୍‍ରେ ପୁରୀ ବିମାନବନ୍ଦରର ପ୍ରାରମ୍ଭିକ ପ୍ରକ୍ରିୟା ପାଇଁ ଟଙ୍କାଟିଏ ବି ବ୍ୟୟବରାଦ କରି ନାହାନ୍ତି। ପୁରୀରେ ବିମାନବନ୍ଦର ନିର୍ମାଣ ହେଲେ ପର୍ଯ୍ୟଟନ ଶିଳ୍ପ ବହୁତ ଉପକୃତ ହେବ। ରାଜ୍ୟର ରାଜସ୍ୱ ବଢ଼଼ିବ, ଲୋକଙ୍କୁ ରୋଜଗାର ମିଳିବ। ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ପଦକ୍ଷେପ ନେବା ଏକ ଶୁଭ ସଙ୍କେତ ବୋଲି କହିଛନ୍ତି।

Spread the love