ଅଜିତ ପାୱାର୍‌ ଓ ଆଉ ୮ଜଣ ବିଦ୍ରୋହୀ ବିଧାୟକଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କଲା ‘ଏନ୍‌ସିପି’

ବିଦ୍ରୋହୀ ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ଓ ଆଉ ୮ ଜଣ ବିଧାୟକ ଶପଥ ନେଇ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେବାରୁ ‘ଏନ୍‌ସିପି’ ସେମାନଙ୍କ ନାଁରେ ବିଧାନସଭା ବାଚସ୍ପତି ରାହୁଲ୍‌ ନାର୍‌ୱେକର୍‌ଙ୍କ ନିକଟରେ ଅଯୋଗ୍ୟତା ଆବେଦନ ଦାଖଲ କରିଛି। ଏହାଛଡ଼ା, ସମସ୍ତ ଜିଲ୍ଲାର ଦଳୀୟ କର୍ମୀମାନେ ‘ଏନ୍‌ସିପି’ ମୁଖ୍ୟ ଶରଦ ପାୱାର୍‌ଙ୍କୁ ଦୃଢ଼ ସମର୍ଥନ କରୁଛନ୍ତି ବୋଲି ମଧ୍ୟ ଦଳ ନିର୍ବାଚନ କମିସନ୍‌କୁ ଭେଟି ଜଣାଇ ଦେଇଛି। ରବିବାର ଦିନ ମହାରାଷ୍ଟ୍ର ‘ଏନ୍‌ସିପି’ ସଭାପତି ଜୟନ୍ତ ପାଟିଲ୍‌ କହିଛନ୍ତି, ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଅଜିତ ପାୱାର୍‌ ଓ ଆଉ ୮ଜଣ ବିଧାୟକଙ୍କ ନାଁରେ ଦଳ ଅଯୋଗ୍ୟତା ଆବେଦନ ଦାଖଲ କରିଛି।

ଅଜିତ ପାୱାର୍‌ ଓ ଅନ୍ୟମାନଙ୍କୁ କଟାକ୍ଷ କରି ‘ଏନ୍‌ସିପି’ ସଭାପତି ଜୟନ୍ତ ପାଟିଲ୍‌ କହିଛନ୍ତି, ୯ଜଣ ବିଧାୟକଙ୍କୁ ନେଇ ଦଳ ହୋଇପାରିବ ନାହିଁ।

ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଶରଦ ପାୱାରଙ୍କ ନିର୍ଦେଶାନୁଯାୟୀ ଅଜିତଙ୍କ ସମେତ ‘ଏନ୍‌ସିପି’ର ୯ଜଣ ବିଦ୍ରୋହୀଙ୍କ ନାଁରେ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଛି। ପ୍ରଥମେ ଇ-ମେଲ୍‌ ଓ ପରେ କାଗଜରେ ଲିଖିତ ଅଯୋଗ୍ୟତା ଆବେଦନ ଦାଖଲ କରାଯାଇଥିବା କଥା ପାଟିଲ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବାସଘାତକତା ପ୍ରମାଣ ହୋଇ ନ ଥିବାରୁ ‘ଏନ୍‌ସିପି’ର ଉକ୍ତ ବିଧାୟକମାନଙ୍କୁ ବିଶ୍ବାସଘାତକ ବୋଲି କୁହାଯାଇ ପାରିବ ନାହିଁ। ସେମାନଙ୍କ ମଧ୍ୟରେ କେତେଜଣ ଆମ ସହିତ ଯୋଗଯୋଗ ରଖିଛନ୍ତି। ସେହିପରି, ଅଜିତଙ୍କ ଦାଦାଝିଅ ଭଉଣୀ ସୁପ୍ରିୟା ମଧ୍ୟ କହିଛନ୍ତି, ବଡ଼ଭାଇଙ୍କର ଭିନ୍ନ ଦୃଷ୍ଟିକୋଣ ଥାଇପାରେ କିନ୍ତୁ, ସଦାସର୍ବଦା ଭଉଣୀ ଭାବେ ସ୍ନେହ କରୁଥିବାରୁ ତାଙ୍କ ସହିତ ବିବାଦ କରିପାରିବି ନାହିଁ।

Spread the love