୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଆସନ୍ତା ୨୬ ତାରିଖରେ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ। ପୂର୍ବରୁ ଏହି ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବାର ଥିଲା।

କିନ୍ତୁ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଜଷ୍ଟିସ୍‌ ଏସ୍‌ଏ ବୋବଡେ ଛୁଟିରେ ଚାଲି ଯାଇଥିବାରୁ ଏହାର ଶୁଣାଣି ଘୁଞ୍ଚି ଯାଇଥିଲା। 

ଆଜି ମିଳିଥିବା ସୂଚନା ଅନୁସାରେ, ଛୁଟିରେ ଥିବା ଜଷ୍ଟିସ୍‌ ବୋବଡେ ଏବେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେଣୁ ଆସନ୍ତା ୨୬ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହେବ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଅବଦୁଲ ନଜିର ରହିଛନ୍ତି।

ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ଦେଇଥିଲେ। ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ କୋର୍ଟ ରାୟ ଦେଇଥିଲେ। କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ।
ତେବେ ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି।
Spread the love