ମୂଲ୍ୟ ବୃଦ୍ଧିକୁ ନେଇ ବିଜେପି ଉପରେ ବର୍ଷିଲେ ଅଖିଳେଶ ଯାଦବ, କହିଲେ ଲୋକେ ଜନ୍ମାଷ୍ଚମୀ ପାଳନ୍ତୁ ଚାହାନ୍ତିନି ସରକାର

ଲକ୍ଷ୍ନୌ୫।୮:  ମୂଲ୍ୟବୃଦ୍ଧି ଓ ବେକାରୀକୁ ନେଇ କଂଗ୍ରେସ ସମେତ ଅନେକ ପାର୍ଟି ଏବେ ଆକ୍ରମକ ହୋଇ ଉଠିଛନ୍ତି। ଏଥିରେ ଉତ୍ତରପ୍ରଦେଶ ସପା ନେତା ଅଖିଳେଶ ଯାଦବ ଦୁଗ୍ଧଜାତ ପଦାର୍ଥ ଉପରେ ଜିଏସଟିକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ସରକାର ଚାହାନ୍ତିନି ଲୋକେ ଜନ୍ମାଷ୍ଟମୀ ପାଳନ୍ତୁ। ଶୁକ୍ରବାର ଗଣମାଧ୍ୟମ ସହ ଆଲୋଚନା କାଳରେ ସପା ନେତା ଦେଶରେ ମୂଲ୍ୟ ବୃଦ୍ଧି ସହ ବିଜେପି ସରକାରଙ୍କ କୌଣସି ନେଣଦେଣ ନାହିଁ। ସେମାନେ ଖୀର ଓ ଦହିକୁ ଜିଏସଟି ଅନ୍ତର୍ଗତ କରିଛନ୍ତି। ଏଥିରେ ଯଦି କେହି ବାବା ଭୋଳେନାଥଙ୍କପ ଗୋଟିଏ ପ୍ୟାକେଟ୍ ଦୁଗ୍ଧ ଚଢାଏ ତେବେ ଏଥିପାଇଁ କରରୁ ବର୍ତ୍ତିବେ କି ବୋଲି ପ୍ରଶ୍ନ କରିଛନ୍ତି।

ସମାଜବାଦୀ ନେତା ଜନେଶ୍ୱର ମିଶ୍ରଙ୍କ ଜୟନ୍ତୀ ଅବସରରେ ଜନେଶ୍ୱର ପାର୍କରେ ପୁଷ୍ପ ଅର୍ପିତ କରିବା ପରେ ଅଖିଳେଶ ଗଣମାଧ୍ୟମକୁ ଭେଟିଥିଲେ। ଏହି ଅବସରରେ ସେ ବିଜେପି ସରକାରଙ୍କ ‘ଘରଘର ତ୍ରିରଙ୍ଗା’ ଅଭିଯାନ ସମ୍ପର୍କରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଦେଶକୁ ଅନୁଭବ କରାଇବାକୁ ହେବ ଯେ ବିଜେପି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ରାଜନୈତିକ ଶାଖା। ଯଦି ଆମେ ଆରଏସ୍ଏସ୍‌ର ଇତିହାସ ଅନୁଶୀଳନ କରିବା ଦୀର୍ଘ ବର୍ଷରେ ସଂଘ କେବେ ତା ସଂସ୍ଥାରେ ଜାତୀୟ ପତାକା ଉତ୍ତୋଳନ କରି ନାହିଁ। ଏଣୁ ଦେଶବାସୀଙ୍କୁ ମୁଁ ବେଳହୁଁ ସତର୍କ କରିଦେବାକୁ ଚାହୁଁଛି ବୋଲି ଅଖିଳେଶ କହିଛନ୍ତି।

ଅଖିଳେଶ କହିଛନ୍ତି ଯେ ତ୍ରିରଙ୍ଗା ଯାତ୍ରା ନାଁରେ ବିଜେପି  ଦେଶରେ ଦଙ୍ଗା ଭିଆଇବାକୁ ଯାଉଛି। ଏଣୁ ଏଥିପ୍ରତି ପ୍ରତ୍ୟେକ ଦେଶବାସୀ ସତର୍କ ରହନ୍ତୁ ବୋଲି ସେ କହିଛନ୍ତି। ଅଖିଳେଶ କାସଗଞ୍ଜକୁ ଏହାର ଉଦାହରଣ ରୂପେ ଉପସ୍ଥାପିତ କରିଛନ୍ତି। କାସଗଞ୍ଜରେ କଣ ହେଲା, କିପରି ବିଜେପି କାର୍ଯ୍ୟକର୍ତ୍ତାମାନେ ତ୍ରିରଙ୍ଗା ଯାତ୍ରା ନାମରେ ଦଙ୍ଗା କଲେ ବୋଲି ଅଖିଳେଶ ମନେ ପକାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାସଗଞ୍ଜର ମୁସଲମାନ ବହୁଳ ଅଞ୍ଚଳରେ ତ୍ରିରଙ୍ଗା ମୋଟରସାଇକେଲ ରାଲି ବାହାର କରିବା ଯୋଗୁ ଝଗଡା ହୋଇଯାଇଥିଲା। ଯାହାକୁ ନେଇ ୨୬ ଜାନୁୟାରୀ ୨୦୧୮ରେ ହିନ୍ଦୁ-ମୁସଲମାନ ଦଙ୍ଗା ହୋଇଥିଲା।

Spread the love