୨୦୨୨ ଅଲିମ୍ପିକକୁ ନେଇ ଚିନ୍ତିତ ଚୀନ୍, Covid-19ରେ ପାଣି ହୋଇପାରେ ସାରା ପ୍ରସ୍ତୁତି

ବେଜିଂ ୧୨।୧୨:  ଆଗାମୀ ଫେବୃଆରୀରେ ହେବାକୁ ଥିବା ୱିଣ୍ଟର ଅଲିମ୍ପିକ୍-୨୦୨୨କୁ ନେଇ ଚୀନ୍‌ ଏବେ ଚିନ୍ତିତ। ଅନ୍ତର୍ଜାତୀୟ କ୍ରିଡା ଆୟୋଜନ ଦାୟିତ୍ୱ ଚୀନ୍‌ ଉପରେ ପଡିଛି। ଏଥିଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ବି ଚାଲିଛି। ହେଲେ ଏଥିପାଇଁ ଜିନପିଙ୍ଗ ସରକାର ଦେଇଥିବା ଶୁନ୍ୟ ସଂକ୍ରମଣ ପ୍ରତିଶ୍ରୁତି ପୂରଣ କରିପାରିବେ କି ନା ସେ ନେଇ ଏବେଠୁ ସନ୍ଦେହ ହେଲାଣି। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ସରକାର ବିଦ୍ୟୁତ ସଂକଟକୁ ମଧ୍ୟ ବରଣ କଲେ। ହେଲେ କରୋନା ସଂକଟରେ କ୍ରିଡାର ମହାକୁମ୍ଭ ସଫଳ ହେବ କି ନା ସେ ନେଇ କିନ୍ତୁ  ନିଶ୍ଚିତ ନୁହନ୍ତି ଜିନପିଙ୍ଗ ସରକାର।

ଦେଶରେ କେସ୍ ଲୋଡକୁ ଶୂନ୍ୟରେ କାୟମ ରଖିବାକୁ ଅଧିକାରୀ ସବୁ ମନ୍ତେ ଉଦ୍ୟମ ଜାରି ରଖିଛନ୍ତି। ଏଥିଲାଗି କଡ଼ା ପ୍ରୋଟକଲ ମଧ୍ୟ ପାଳନ କରାଯାଉଛି। ଏହା ସତ୍ତ୍ୱେ ଦୈନିକ ନୂଆ ନୂଆ ଅଞ୍ଚଳରେ ନୂଆ ସଂକ୍ରମଣ ବଢିବଢି ଚାଲିଛି। ସଂକ୍ରମଣ ହ୍ରାସ ଲାଗି ସରକାର ଅବଲମ୍ବନ କରୁଥିବା ପ୍ରୋଟକଲରେ ଲୋକଙ୍କ ସ୍ୱାଧୀନତା ଓ ଅଧିକାର ମଧ୍ୟ ପ୍ରଭାବିତ ହେଉଛି। ହେଲେ ନିୟନ୍ତ୍ରିତ ହେଉନି କରୋନା ସଂକ୍ରମଣ।

କଡ଼ା କଟକଣା ସତ୍ତ୍ୱେ ରାଜଧାନୀ ବେଜିଂ, ଆର୍ଥିକ ରାଜଧାନୀ ସାଂଘାଇରୁ ଆରମ୍ଭ କରି ଦେଶର ସବୁ ବଡ ସହରାଞ୍ଚଳମାନଙ୍କରେ ଗତ ୧ ସପ୍ତାହ ହେଲା ପୁଣି ମାମଲା ବଢିବାରେ ଲାଗିଛି। ଏଥିରେ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୀତକାଳୀନ ଅଲିମ୍ପିକ କାଳରେ ବେଜିଂକୁ ଦେଶର ଅନ୍ୟ  ଭାଗରୁ ପୃଥକ କରିଦେବା କଥା ବି ସରକାର କହୁଛନ୍ତି। ହେଲେ ରାଜଧାନୀକୁ ଭାଇରସ ପ୍ରବେଶ ନ କରିବ ତାହା କିନ୍ତୁ ସ୍ପଷ୍ଟ ଭାବେ କହି ପାରୁନାହାନ୍ତି।

ଚଳିତ ସପ୍ତାହ ଆରମ୍ଭରେ ଚୀନ୍‌ ମେନ ଲ୍ୟାଣ୍ଡରେ କୋଭିଡ ସଂକ୍ରମଣର ୬୧ଟି ନୂଆ ମାମଲା ମିଳିଥିବା ସରକାରୀ ଭାବେ ପୁଷ୍ଟି ହୋଇଛି। ପୂର୍ବରୁ ଆମେରିକା ସମେତ ଅନେକ ଦେଶ ବେଜିଂ ୱିଣ୍ଟର ଅଲିମ୍ପିକକୁ କୁଟନୈତିକ ବହିଷ୍କାର କରିଛନ୍ତି। ଏଥିରେ କାନାଡା ନୂଆ କରି ସାମିଲ ହୋଇଛି। ଏହା ଛଡା ଅଷ୍ଟ୍ରେଲିଆ ଓ ୟୁକେ ମଧ୍ୟ ନିଜକୁ ୱିଗର ଓ ହଙ୍ଗକଙ୍ଗର ଗଣତନ୍ତ୍ର ପ୍ରସଙ୍ଗରେ ପୂର୍ବରୁ ନିଜକୁ ପୃଥକ  କରିସାରିଛନ୍ତି। ଏହା ସତ୍ତ୍ୱେ ଅନୁଷ୍ଠିତ ହେବାକୁ ଯାଉଥିବା ୱିଣ୍ଟର ଅଲିମ୍ପିକ୍‌ କୋଭିଡରେ ହୋଇପାରିବ କି ନା ତାହା ଏବେଠୁ କହି ହେଉ ନାହିଁ।

Spread the love