ଖୁବ୍ ଶୀଘ୍ର ଖାଲି ଥିବା ପଦବୀ ହେବ ପୂରଣ: କେନ୍ଦ୍ର ସରକାର ଆରମ୍ଭ କରିବେ ଅଭିଯାନ

ନୂଆଦିଲ୍ଲୀ: କେନ୍ଦ୍ରରେ ଖାଲି ପଡିଥିବା ପଦବୀ ଖୁବ୍ ଶୀଘ୍ର ପୂରଣ ହେବ । ଏନେଇ କେନ୍ଦ୍ର ସରକାର ଆରମ୍ଭ କରିବେ ଅଭିଯାନ । ନିର୍ଦ୍ଦେଶ ଅନୁସାରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଶ ଓ ବିକାଶ ହାର ବଢ଼ାଇବା ନେଇ ଗଠିତ ମନ୍ତ୍ରିମଣ୍ଡଳୀୟ ସମିତିର ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି  ବୈଠକରେ କେନ୍ଦ୍ରୀୟ ଚାକିରିରେ ଖାଲି ପଡ଼ିଥିବା ପଦରେ ଶୀଘ୍ର ନିଯୁକ୍ତି ଦେବା ପାଇଁ ନିଷ୍ପତି ନିଆଯାଇଥିଲା। କ୍ୟାବିନେଟ୍ କମିଟିର ନିର୍ଦ୍ଦେଶ ପରେ ଡିଓପିଟି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇଛନ୍ତି।

ଚିଠିରେ କୁହାଯାଇଛି ଯେ, ଖାଲି ପଦରେ ଶୀଘ୍ର ଭର୍ତି କରାଯାଉ ଏବଂ ଏହାର ସୂଚନା ଡିଓପିଟିକୁ ଦିଆଯାଉ। ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗ ମାସର ୫ ତାରିଖ ପୂର୍ବରୁ ଏହି ବିଷୟରେ ଉଠାଯାଇଥିବା ପଦକ୍ଷେପର ସୂଚନା ଡିଓପିଟିକୁ ଦେବାକୁ ହେବ। ଗ୍ରୁପ ଏ, ବି ଓ ସି ବିଶିଷ୍ଟ ପଦରେ ସିଧାସଳଖ ନିଯୁକ୍ତି କେନ୍ଦ୍ର ଦେଇଥାଏ। ଏହାର ପରୀକ୍ଷା ୟୁପିଏସସି ଓ ଏସଏସି ସଂଚାଳିତ କରିଥାଏ।

ଉଲ୍ଲେଖଯୋଗ୍ୟ, ମୋଦି ସରକାର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବଜେଟରେ ବଡ଼ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତି କରୁଛନ୍ତି। ଅନ୍ୟପଟେ ବଡ଼ ସଂଖ୍ୟାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରି ଦେଶବାସୀଙ୍କୁ ବଡ଼ ସନ୍ଦେଶ ଦେବାକୁ ଯୋଜନା କରିଛନ୍ତି।

Spread the love