ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଜି ବସିଛି ସର୍ବଦଳୀୟ ବୈଠକ । ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ମିଳିଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୧ଟାରେ ବୈଠକ ବସିଛି। ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ । ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନିଦିନ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିସ୍ତୃତ ଭାବରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨/୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ।୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ବୋଲି ଜଣାପଡ଼ିଛି । ଏହିସମସ୍ତ ଦିଗ ଉପରେ ଆଜି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇପାରେ । ତାହାସହ ଗୃହକୁ କିପରି ସୁରୁଖୁରୁରେ ଚଳାଯାଇପାରିବ ସେ ନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସମସ୍ତ ଦଳ ସହ ଆଲୋଚନା କରିବେ । ପ୍ରାୟତଃ ବିଧାନସଭା ଆରମ୍ଭର ଦୁଇ ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥାଏ । ହେଲେ ପୌର ନିର୍ବାଚନ କାରଣରୁ ଏହି ବୈଠକ ଶୀଘ୍ର ବସୁଥିବା କୁହାଯାଉଛି ।

Spread the love