ସରକାରୀ କଳର ଅପବ୍ୟବହାର ବନ୍ଦ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ତା.୧୪/୧୧: ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ଲାଗି ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପନିର୍ବାଚନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଖସଡା ପ୍ରସ୍ତୁତ କରାଯିବା ସହ ଭୋଟିଂର ସମୟକୁ ପରିବର୍ତନ କରାଯିବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ମାଓପ୍ରବଣ ହୋଇଥିବାରୁ ରାଜ୍ୟ ନିର୍ବାଚନ ଅଧିକାରୀ ଭୋଟିଂ ସମୟର ପରିବର୍ତନ କରିଛନ୍ତି । ପୂର୍ବରୁ ସକାଳ ୭ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯାଉଥିଲା କିନ୍ତୁ ଅଂଚଳର ସ୍ଥିତିକୁ ଲକ୍ଷ୍ୟ କରି ଇଲେକ୍ସନ କମିଶନ ସମୟ ପରିବର୍ତନ କରାଇ ସକାଳ ୭ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟରମାନେ ନିଜର ମତଦାନ କରିପାରିବେ ବୋଲି ସର୍ବଦଳୀୟ ବୈଠକରେ ସୂଚନା ଦେଇଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ସୂଚନା ପରେ ଭାରତୀୟ ଜନତା ପାର୍ଟି ଭୋଟ ଦାନ କରିବା ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନୁହେଁ ବରଂ ଆଉ ଏକ ଘଂଟା ସମୟ ବଢ଼ାଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ସମୟ ଧାର୍ଯ୍ୟ କରିବା ପାଇଁ ଅନୁରୂପ ଦାବି କରିଛି ।
ସୂଚନାଥାଉ କି, ଭାରତୀୟ ଜନତା ପାର୍ଟି ଏହି ବୈଠକରେ ଉପସ୍ଥିତ ରହି ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କ ନିକଟରେ ମତ ରଖିଛି । ଧାମନଗର ଉପନିର୍ବାଚନରେ ହୋଇଥିବା ସରକାରୀ କଳର ପର୍ଯ୍ୟାପ୍ତ ଅପବ୍ୟବହାରକୁ ପୁନଃ ପ୍ରୟୋଗ ନହୋଇ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଦାବି କରିଛି । ବୁଥ୍‌ରେ ଭୋଟିଂ ସମୟରେ ମତଦାତାଙ୍କ ଲାଗି ନିର୍ବାଚନ ଆୟୋଗ ପିଇବା ପାଣିର ବ୍ୟବସ୍ଥା କରନ୍ତୁ ଓ ଭୋଟିଂ ରୁମ୍‌କୁ ମୋବାଇଲ ଫୋନ ବ୍ୟାନ କରିବାକୁ ମଧ୍ୟ ଭାରତୀୟ ଜନତା ପାର୍ଟି ବୈଠକରେ ଦାବି କରିଛି । ଏହି ସର୍ବଦଳୀୟ ବୈଠକରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଦଳର ପ୍ରତିନିଧିଭାବେ ଯୋଗ ଦେଇଥିଲେ ।

Spread the love