୧୫ରୁ ହଟିବ ସମ୍ପୂର୍ଣ୍ଣ କରୋନା କଟକଣା, ଆରମ୍ଭ ହେବ ବୋର୍ଡ ପରୀକ୍ଷା

ଡିସପୁର ୦୭/୦୨: ଦେଶରେ କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଇବା​‌ରେ ଲାଗିଛି । ଅବଶ୍ୟ ତୃତୀୟ ଲହର ବିପଦ ଏବେ ବି ଟଳିନାହିଁ । କିନ୍ତୁ ଭୟାବହତା ଅନେକ ମାତ୍ରାରେ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କୋଭିଡ କଟକଣା କୋହଳ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ବଡ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ଆସାମରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ, ଆସନ୍ତା ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ସମସ୍ତ କୋଭିଡ କଟକଣାକୁ ହଟାଇ ଦିଆଯିବ । ରାଜ୍ୟରେ ଏବେ ସଂକ୍ରମଣ ହାର ବ୍ୟାପକ ଭାବେ ହ୍ରାସ ପାଇବାରେ ଲାଗିଛି । ଏଥିଲାଗି ରାଜ୍ୟରେ କୋଭିଡ କଟକଣା ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ପ୍ରେସ କନଫରେନ୍ସ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ‘ସ୍କୁଲ ବୋର୍ଡ ପରୀକ୍ଷା, ମ୍ୟୁନିସିପାଲିଟି ନିର୍ବାଚନ ଏବଂ ମାଜୁଲି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ସହିତ ସମସ୍ତ ସରକାରୀ ଅଫିସ ତଥା ଘରୋଇ ଅଫିସ କୋଭିଡ କଟକଣା ସହ ସମ୍ପୂର୍ଣ୍ଣ କ୍ଷମତାରେ ଚାଲିବ । ଏହା ସହିତ ସମସ୍ତ ବୋର୍ଡ ପରୀକ୍ଷା ମଧ୍ୟ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବ ।’ ସବୁଠାରୁ ବଡ କଥା ହେଉଛି, ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କୋଭିଡର ଦୁଇଟି ଯାକ ଡୋଜ୍‌ ଭ୍ୟାକସିନ୍‌ ନେବା ବାଧ୍ୟତାମୂଳକ । ଏହା ସହିତ ଆସାମରେ ନାଇଟ୍‌ କର୍ଫ୍ୟୁ, ମଲ୍ ଏବଂ ସିନେମା ହଲ୍‌ ପୂର୍ଣ୍ଣ କ୍ଷମତାରେ ଖୋଲିବ । ଏହା ସହିତ ବିବାହ କାର୍ଯ୍ୟରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ବିବାହ କାର୍ଯ୍ୟରେ ଯୋଗଦେଇଥିବା ଅତିଥି କୋଭିଡ୍‌ର ଦୁଇଟି ଯାକ ଡୋଜ୍‌ ନେଇଥିବା ଆବଶ୍ୟକ । କୋଭିଡ୍‌ ନିୟମ ପାଳନ କରିବା ସହିତ ବାହରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

Spread the love