ନବରଙ୍ଗପୁରର ଅଲୋଡ଼ା ରେକର୍ଡ: ବାଲ୍ୟବିବାହ, ନିରକ୍ଷରତା ଓ ନିଶାରେ ୧ ନମ୍ବର

ନବରଙ୍ଗପୁର: ବାଲ୍ୟବିବାହ, ନିରକ୍ଷରତା ଓ ନିଶାସେବନରେ ଓଡ଼ିଶାରେ ଏକ ନମ୍ବର। ଏହି ସବୁ କ୍ଷେତ୍ରରେ ରାଜ୍ୟ ତାଲିକାର ଶୀର୍ଷରେ ରହି ଅଲୋଡ଼ା ରେକର୍ଡ ହାସଲ କରିଛି ନବରଙ୍ଗପୁର ଜିଲ୍ଲା। ଏହା ସହ ଜିଲ୍ଲାରେ ମହିଳା ଏବଂ ଶିଶୁଙ୍କ କ୍ଷେତ୍ରରେ କୁପୋଷଣ ତଥା ରକ୍ତହୀନତା ମଧ୍ୟ ବଢ଼ି ଚାଲିଛି।
ଡିମଡ୍ ବିଶ୍ବବିଦ୍ୟାଳୟର ଇଣ୍ଟରନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍‌ ଫର୍‌ ପପୁଲେସନ ସାଇ‌ନ୍ସ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ ପରିବାର ସ୍ବା‌ସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ଉଦ୍‌ବେଗ କରିବା ଭଳି ତଥ୍ୟ ମିଳିଛି। ଜିଲ୍ଲାର ୨୦ରୁ ୨୪ବର୍ଷ ମଧ୍ୟରେ ରହିଥିବା ମହିଳାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁସାରେ ୩୯.୪ ପ୍ରତିଶତ ମହିଳାଙ୍କ ୧୮ବର୍ଷରୁ କମ ବୟସରେ ବିବାହ ହୋଇଯାଉଛି। ସେହିପରି ୧୫ରୁ ୧୯ବର୍ଷ ମଧ୍ୟରେ ଗର୍ଭବତୀ ହେବା ଏବଂ ମାତୃତ୍ବ ଲାଭ କରୁଥିବା ମହିଳାଙ୍କ ସଂଖ୍ୟା ଜିଲ୍ଲାରେ ୮.୩ପ୍ରତିଶତ। ବାଲ୍ୟବିବାହରେ ରାଜ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ କୋରାପୁଟ, ତୃତୀୟରେ ରାୟଗଡ଼ା ଏବଂ ଚତୁର୍ଥ ସ୍ଥାନରେ ମାଲକାନଗିରି ଜିଲ୍ଲା ରହିଛି।

ଅନ୍ୟପକ୍ଷରେ ବାଳିକା ଶିକ୍ଷାହାର ମଧ୍ୟ ଜିଲ୍ଲାରେ ନୈରାଶ୍ୟଜନକ। ୬ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବାଳିକାଙ୍କ ମଧ୍ୟରୁ ୫୨.୯ପ୍ରତିଶତ ବିଦ୍ୟାଳୟ ଯାଉଛନ୍ତି। ପ୍ରାୟ ୪୭ପ୍ରତିଶତ ବାଳିକା ସ୍କୁଲ ମୁହଁ ଦେଖିବାକୁ ମଧ୍ୟ ସୁଯୋଗ ପାଉନାହାନ୍ତି। ଉପରୋକ୍ତ ସଂସ୍ଥା ପକ୍ଷରୁ ୨୦୨୦ରୁ ୨୦୨୧ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଏହି ସର୍ଭେ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ୧୨୯ଟି ଗାଁର ସମସ୍ତ ପରିବାରକୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାରେ ବଢ଼ି ଚାଲିଥିବା ବାଲ୍ୟବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସକ୍ରିୟ ରହିଛି। ୩ ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରାୟ ୯ଶହ ବାଲ୍ୟବିବାହ ରୋକିବାରେ ପ୍ରଶାସନ ସକ୍ଷମ ହୋଇଛି। ଚଳିତବର୍ଷ ଜାନୁଆରିରୁ ଜୁ‌ଲାଇ ମାସ ମଧ୍ୟରେ ୨୮୭ ବାଲ୍ୟବିବାହ ରୋକିବାରେ ପ୍ରଶାସନ ସଫଳ ହୋଇଛି। ପ୍ରଶାସନ ରୋକିବାକୁ ଉଦ୍ୟମ କରୁଥିବା ବେଳେ ଅଭିଭାବକ ଲୁଚାଛପାରେ ପିଲାଙ୍କ ବିବାହ କରାଉଥିବା ଜଣାପଡ଼ିଛି।

Spread the love