ଆମ୍ବୁଲାନ୍ସରେ ତିନି ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ଏକ ଡାକ୍ତରଖାନାକୁ ଯାଉଥିବା ବେଳେ ଜଣେ ୨୪ ବର୍ଷ ବୟସ୍କା ମହିଳା ଆମ୍ବୁଲାନ୍ସରେ ତିନିଟି ସନ୍ତାନକୁ ଜନ୍ମ ଦେଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଅଧିକାରୀଙ୍କ କହିବାନୁସାରେ, ପିପଲିଆ ଗୋଲି ଗାଁର ଜ୍ୟୋତି ବାଇଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ଗୋହରଗଞ୍ଜ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହେବା ପରେ ସରକାରୀ ଆମ୍ବୁଲାନ୍ସ ଯୋଗେ ଜ୍ୟୋତିଙ୍କୁ ଭୋପାଳର ସରକାରୀ ସୁଲତାନିଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସରେ ମହିଳାଙ୍କ ସହ ଆସିଥିବା ଡକ୍ଟର ସନ୍ଦୀପ ମାରାନ କହିଛନ୍ତି ଯେ, ‘ଏହି ଯାତ୍ରା ସମୟରେ ମହିଳା ଜଣକଙ୍କ ପ୍ରସବ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ଭୋପାଳଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ମଣ୍ଡିଦୀପ ନିକଟରେ ଜ୍ୟୋତି ଆଉ ପ୍ରସବ ଯନ୍ତ୍ରଣା ସହ୍ୟ କରି ନପାରି ତିନିଟି ସନ୍ତାନକୁ ଜନ୍ମ ଦେଇଥିଲେ।

ଏହାପରେ ମା ଏବଂ ତାଙ୍କର ତିନି ନବଜାତ ପୁଅକୁ ସୁଲତାନିଆ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ମା’ ଓ ତିନିଜଣ ନବଜାତ ସୁସ୍ଥ ଅଛନ୍ତି। ଏବେ ସେମାନେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି। ଖୁବଶୀଘ୍ର ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯିବ ବୋଲି କୁହାଯାଉଛି।’ ତେବେ ଏକାଥରକେ ତିନି ପୁତ୍ର ସନ୍ତାନକୁ ପାଇ ଜ୍ୟୋତିଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି।

Spread the love