କାଲି ଅସୁଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା

ଭୁବନେଶ୍ୱର, ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଶାହାଙ୍କ ଏହି ଗସ୍ତରେ ରହିଛି ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ । ଲୋକସେବା ଭବନରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକରେ ଯୋଗଦେବା ପରେ ଜନତା ମଇଦାନରେ ସିଏଏ ସପକ୍ଷ ବିଶାଳ ରାଲିରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଜନତା ମଇଦାନରେ ଏହି ଦଳୀୟ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଅମିତ୍ ଶାହାଙ୍କ ଗସ୍ତ କାର୍ଯ୍ୟସୂଚୀ ସମ୍ପର୍କରେ ରାଜ୍ୟ ବିଜେପି ପକ୍ଷରୁ ଆଜି ସୂଚନା ଦିଆଯାଇଛି । ସକାଳ ୧୦ଟାରେ ଶ୍ରୀ ଶାହା ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ବିମାନବନ୍ଦରରୁ ସେ ସିଧା ଯିବେ ଲୋକସେଭା ଭବନ । ସେଠି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ଅପରାହ୍ନ ପ୍ରାୟ ଦୁଇଟାରେ ଜନତା ମଇଦାନ ଯିବେ । ସିଏଏ ସପକ୍ଷ ରାଲିରେ ଜନସାଧାରଣଙ୍କୁ ଉଦବୋଧନ ଦେଇସାରି ପ୍ରାୟ ୫ଟା ବେଳକୁ ହୋଟେଲ ମେ ଫେୟାର୍ ଆସିବେ । ସେଠାରେ ସଂଧ୍ୟା ୬ଟାରେ ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକଙ୍କ ସମେତ ୨୦୦ କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ସମ୍ପର୍କରେ ଶାହା ଆଲୋଚନା କରିବେ । ସେଠାରୁ ପୁରୀ ଯାଇ ରାତ୍ରୀଯାପନ କରିବେ ।
ଶନିବାର ସକାଳୁ ଶ୍ରୀ ଶାହା ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ଆସି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ତାପରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଉଦଘାଟନ କରି ଦିଲ୍ଲୀ ଫେରିଯବେ ।
ଶାହାଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟର ଦେଖାଶୁଣା କରୁଛନ୍ତି ।
Spread the love