ବିଗ୍-ବିଙ୍କ କୋଭିଡ-୧୯ ରିପୋର୍ଟ ଆସିଲା ନେଗେଟିଭ, ଫେରିଲେ କେବିସି ସୁଟିଂକୁ

ମୁମ୍ବାଇ ୨।୯: ଅମିତାଭ ବଚ୍ଚନ ୯ ଦିନ ଆଇସୋଲେସନରେ ବିତେଇବା ପରେ ଶେଷରେ କାମକୁ ଫେରିଛନ୍ତି। ୭୯ ବର୍ଷ ବୟଷ୍କ ଅଭିନେତା ଦ୍ୱିତୀୟବାର କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଅମିତାଭ ଆଜିକାଲି କ୍ୱିଜ୍ ସୋ ‘କୌନ ବନେଗା କରୋଡ ପତି’ ସିଜିନ ୧୪କୁ ଉପସ୍ଥାପନା କରୁଛନ୍ତି।  ଅମିତାଭଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିବା ମାତ୍ରେ ସେ ନିଜକୁ ପ୍ରଥମେ ହୋମ କ୍ୱାରେଣ୍ଟାଇନ କରିଥିଲେ। ଏବେ ଅମିତାଭଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଏହାର ଅପଡେଟ୍ ଦେବା ସହ କାମକୁ ଫେରୁଥିବାର ସୂଚିତ କରିଛନ୍ତି।

ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ସେ ତାଙ୍କର ଟିକିନିଖି ଖବର ଟ୍ୱିଟର ଓ ବ୍ଲଗରରେ ଉଲ୍ଲେଖ କରନ୍ତି। ସେ ନିଜର ସୁସ୍ଥ ହେବା ଖବର ମଧ୍ୟ ବ୍ଲଗରରେ ଦେଇଛନ୍ତି। ବିଗ-ବି କୋଭିଡ ମୁକ୍ତ ହେବା ଖବର ତାଙ୍କ ଫ୍ୟାନସ୍‌ଙ୍କୁ ଆଶ୍ୱସ୍ତ କରିଛି। ଅମିତାଭ ଗୁରୁବାର ସକାଳ ୮ଟା ବେଳେ ବ୍ୟାକ୍‌ ଟୁ ଦି ୱାର୍କ ଉଲ୍ଲେଖ କରି ଫ୍ୟାନସ୍‌ଙ୍କୁ କୃତଜ୍ଞତା ଜଣାଇଥିଲେ।

ଅମିତାଭ ତାଙ୍କ ଟେଷ୍ଟିଂ ରିପୋର୍ଟ ନେଗେଟିଭ ଆସିଥିବା ଓ ୯ ଦିନର ଆଇସୋଲେସନ ସରିଥିବା ଉଲ୍ଲେଖ କରିଛନ୍ତି। ତେବେ ଆଇସୋଲେସନ ୭ ଦିନର ହେଲେ ବିଗ-ବି ଅଧିକ ଦୁଇ ଦିନ ଏକାନ୍ତବାସରେ ଥିଲେ। ଅମିତାଭ ବଚ୍ଚନ ଆଜିକାଲି କୌନ ବନେଗା କରୋଡପତି ସିଜନ୧୪ର ଉପସ୍ଥାପନ କରୁଛନ୍ତି। ପୂର୍ବ ସେସନ ମାନଙ୍କ ପରି ନୂଆ ଅଧ୍ୟାୟକୁ ମଧ୍ୟ ଅମିତାଭ ମଜାଦାର ଓ ଦମଦାର ଅନ୍ଦାଜରେ ଉପସ୍ଥାପନ କରୁଛନ୍ତି। ଆଇସୋଲେସନରେ ଥିବା ବେଳେ ସେ ସୁଟିଂ ସେଟ୍‌କୁ ମିସ୍ କରୁଥିବା ଟ୍ୱିଟ୍‌ କରିଥିଲେ।

ସେ ଉଲ୍ଲେଖ କରିଥିଲେ ଯେ କାମ କରୁଥିବା ବେଳେ ଗୋଟିଏ ଚିନ୍ତା ଥିଲା ଛୁଟି କେବେ ମିଳିବ, ଛୁଟି ମିଳିଲା ତେବେ ପୁଣି ଗୋଟିଏ ଚିନ୍ତା କାମକୁ କେବେ ଫେରିବି…। ଗତ ଅଗଷ୍ଟ ୨୩ ତାରିଖରେ ଅମିତାଭ ବଚ୍ଚନ କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ତେବେ ଏହା ପୂର୍ବରୁ ଜୁଲାଇ ୨୦୨୦ରେ ମଧ୍ୟ ସେ କରୋନାରେ ସଂକ୍ରମିତ ହୋଇଥିଲେ। ସେତେବେଳେ ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ, ନାତୁଣୀ ଆରାଧ୍ୟା ଆଦି ମଧ୍ୟ ସଂକ୍ରମିତ ହୋଇଥିଲେ।

Spread the love