୨୮ରେ ଓଡିଶା ଗସ୍ତରେ ଆସୁଛନ୍ତିକେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା: ସମୀର ମହାନ୍ତି

ଚଳିତ ମାସ ୨୮ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୮ ତାରିଖ ଅପରାହ୍ନରେ ଶ୍ରୀ ଶାହା ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ‘ନାଗରିକତା ସଂଶୋଧନ ଆଇନ’ ସମର୍ଥନରେ ଏକ ବିଶାଳ ଜନସଭାକୁ ଉଦ୍‌ବୋଧନ କରିବେ । ୨୯ ତାରିଖ ଦିନ ଶ୍ରୀ ଶାହା ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ 

କରିବେ । ଏହା ପରେ ଶ୍ରୀ ଶାହା ଭୁବନେଶ୍ୱରଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି
ରାଜ୍ୟ ସଭାପତି  ସମୀର ମହାନ୍ତି  ସୂଚନା ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ ବିଲ୍ ପାରିତ ହେବା ପରେ ଜାନୁଆରୀ ୫ ତାରିଖରୁ ଦେଶବ୍ୟାପୀ ଏହି ଆଇନ ସଂପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ଆରମ୍ଭ ହୋଇଛି । ରାଜ୍ୟରେ ମଧ୍ୟ ବିଭିନ୍ନ ପ୍ରକାରର
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଟକଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ସମ୍ବଲପୁରଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ଜୟପୁରଠାରେ ସାଂସଦ ରୁପା ଗାଙ୍ଗୁଲି ଯୋଗଦାନ କରି ଏହି ଆଇନ ସଂପର୍କରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ରାଲି ଏବଂ ବିଶାଳ ଜମସମାବେଶ କରାଯାଇଛି । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଇଛି । ଏହା ସହ ବିଜେପି କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ସହ ଘରକୁ ଘର ଯାଇ ସିଏଏ ସଂପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି । ରାଜ୍ୟର ୧୦୦୪ ମଣ୍ଡଳର ୩୭୦୦୦ ବୁଥରୁ କାର୍ଯ୍ୟକର୍ତାମାନେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟକାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିପେକ୍ଷୀରେ ଆସନ୍ତା ୨୮ ତାରିଖ ଦିନ ଭୂବନେଶ୍ୱରଠାରେ ବିଶାଳ ଜନସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love