ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର

ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ୬ଟି ସହର ରହିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ଏହି ୬ଟି ସହରରେ ବାୟୁ ପ୍ରଦୁଷଣ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ସେହିଭଳି ଶୀତ ଦିନରେ ପୋଡ଼ୁ ଚାଷ ଓ ନିଆଁ ଜଳିବା ଯୋଗୁଁ ମଧ୍ୟ ବଢ଼ୁଛି ପ୍ରଦୁଷଣ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଭେରି ପୁଅର ବା ଅତି ସାଂଘାତିକ ସ୍ଥିତିରେ ଦେଶର ୧୬ଟି ସହର ରହିଛି । ଏଥିରେ ଓଡ଼ିଶାର ୬ଟି ସହର ରହିଛି । ଅର୍ଥାତ ଦେଶର ବହୁ ପ୍ରଦୁଷିତ ମଧ୍ୟରେ ରହିଛି ଓଡ଼ିଶାର ଏହି ସହର । ଗତକାଲି ଅନୁଗୁଳରେ ଏୟାର କ୍ୱାଲିଟି ଇନଡେକ୍ସ ବା ବାୟୁ ମାନକ ସୂଚକାଙ୍କ ସର୍ବାଧିକ ୩୫୨ ରହିଥିଲା, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ । ସେହିପରି କଟକରେ ଏକ୍ୟୁଆଇ ୩୪୦, ବାଲେଶ୍ୱର ଓ ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬ ଓ ତାଳଚେରରେ ୩୦୪ ରହିଛି ।

ସେହିଭଳି ରାଇରଙ୍ଗପୁରରେ ୩୦୦ ଓ ବଡ଼ବିଲରେ ୨୯୨ ରହିଛି ଏୟାର କ୍ୱାଲିଟି ଇନଡେକ୍ସ । ଏହି ସହର ଗୁଡ଼ିକରେ ପ୍ରଦୁଷଣର ବଢ଼ିବାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଯାନବାହାନ ଚଳାଚଳ ସହ ଲଗାତର ଭାବେ ହେଉଥିବା ନିର୍ମାଣ କାର୍ଯ୍ୟ । ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ କମିଶନର ମାନଙ୍କୁ ଚିଠି ଲେଖିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ । ଶୀତ ଦିନ ହୋଇଥିବାରୁ ବାୟୁର ବେଗ କମୁଛି । ଦୂଷିତ ଗ୍ୟାସ ବାୟୁମଣ୍ଡଳ ବାହାରକୁ ଯାଇପାରୁନାହିଁ । ଫଳରେ ପ୍ରଦୁଷଣ ବଢ଼ୁଛି ଓ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ଅତ୍ୟଧିକ ପ୍ରଦୁଷଣ ଅନୁଭୂତ ହେଉଛି ।

Spread the love