ଆଜି ୫୦୮ ରେଳଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

୫୦୮ ରେଳ ଷ୍ଟେସନର ହେବ ଉନ୍ନତିକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସବୁ ରେଳ ଷ୍ଟେସନର ଉନ୍ନତିକରଣର ଶିଳାନ୍ୟାସ କରିବେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୧୩୦୯ଟି ରେଳ ଷ୍ଟେସନର ପୁନଃ ବିକାଶ ହେବ। ପ୍ରାଥମିକ ପର୍ଯ୍ୟାୟରେ ପ୍ରଥମେ ଆଜି ୫୦୮ଟି ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

ତେବେ ପ୍ରଥମ ପ୍ରର୍ଯ୍ୟାୟରେ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ରେଳ ଷ୍ଟେସନ ମଧ୍ୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି। ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାର ସମ୍ବଲପୁର ଡିଭିଜନର ୧୧ଟି ଷ୍ଟେସନ ଏବଂ ଖୋର୍ଦ୍ଧା ଡିଭିଜନର ୧୪ଟି ଷ୍ଟେସନ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ କେନ୍ଦ୍ର ସରକାର ୫୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ। ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ ହୋଇଥିବା ଟ୍ରାଫିକ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ବାରା ଷ୍ଟେସନ ଗୁଡ଼ିକ ଅନୁପ୍ରାଣୀତ ହେବ। 

ପ୍ରତ୍ୟେକ ଷ୍ଟେସନ ସହରର ସିଟି ସେଣ୍ଟର ରୂପେ ବିକାଶ ହେବ। ଯେଉଁଠି ରୁଫ ପ୍ଲାଜା, ଶପିଂ ଜୋନ, ଫୁଟ କୋର୍ଟ, କିଡସ ପ୍ଲେ ଏରିଆ ଇତ୍ୟାଦି ଭଳି ଅନେକ ସୁବିଧା ଉପଲବ୍ଧ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ମଲ୍ଟି ଲେବଲ ପାର୍କିଂ, ଲିଫ୍ଟ, ଏସ୍କାଲେଟର, ଓ୍ବେଟିଂ ଏରିଆ ଏବଂ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ଅନୁକୂଳ ସୁବିଧା ରହିବ।

Spread the love