ପାଦୁକା ହେଉଛି ସର୍ବଶ୍ରେଷ୍ଠ, ଶୂନ୍ୟମଣ୍ଡପରେ ପୂଜା ପାଏ ଏକ ମାଟି ହାଣ୍ଡି

ଭିନ୍ନ ଏକ ମନ୍ଦିର ଭିନ୍ନ ଏକ ଠାକୁର । କିନ୍ତୁ ଏଠାରେ ପାଦୁକା ହେଉଛି ସର୍ବ ଶ୍ରେଷ୍ଠ । କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ହୋଇଉଠେ ଏହି ଶୂନ୍ୟମଣ୍ଡପ । ବାଲେଶ୍ୱରର ଅନେକ ଐତିହ ପୀଠମାନଙ୍କ ମଧ୍ୟରୁ ଏହି ଶୂନ୍ୟ ମଣ୍ଡପ ଅନ୍ୟତମ । ସବୁ ମନ୍ଦିର ଓ ପୀଠମାନଙ୍କରେ ଦେବା ଦେବୀଙ୍କ ମୂର୍ତ୍ତି ଥିବା ବେଳେ ଏଠାରେ କେବଳ ଶୂନ୍ୟବ୍ରହ୍ମକୁ ବିଶ୍ଵାସ କରି କାର୍ତ୍ତିକ ପୂର୍ଣ୍ଣିମାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ଅଞ୍ଚଳରେ ଥିବା ଶୂନ୍ୟ ମଣ୍ଡପରେ କାର୍ତ୍ତିକ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇ ଯାଇଛି । ଯେଉଁଠି ମନ୍ଦିର ବା କୌଣସି ଦେବାଦେବୀ ମୂର୍ତ୍ତି ପୂଜା ପାଆନ୍ତି ନାହିଁ । କେବଳ ଗୋଟିଏ ମଣ୍ଡପ ଉପରେ ଥିବା ଏକ ମାଟି ହାଣ୍ଡିକୁ ପୂଜା କରାଯାଇଥାଏ । ତେବେ ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା । ଏହି ମନ୍ଦିରର ବିଶେଷତ୍ବ ପାଦୂକା ଉପରେ ଥାଏ । ଏହି ପାଦୁକା ପିଇଲେ ଶରୀରର ବିଭିନ୍ନ ରୋଗ ଆରୋଗ୍ୟ ହୋଇଯାଏ ବୋଲି ଶ୍ରଦ୍ଧାଳୁ ମାନେ ବିଶ୍ବାସ ରଖଛନ୍ତି ।

ସୂଚନା ଅନୁସାରେ ପ୍ରଥମେ ଏହି ମଣ୍ଡପ ବା ବ୍ରହ୍ମକୁ ପ୍ରଭାକର ବାବା ନାମକ ଜଣେ ସନ୍ୟାସୀ ଆବିଷ୍କାର କରିଥିଲେ। ସେହିଦିନ ଠାରୁ ବାବା ଏଠାରେ ଏକ ପତ୍ର କୁଡ଼ିଆ ତିଆରି କରି ରହୁଥିଲେ ଏବଂ ଭକ୍ତଙ୍କୁ ପାଦୁକା ଦେଇ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ । ମେଡ଼ିକାଲରୁ ବଡବଡ ରୋଗୀମାନେ ଫେରିଆସି ଏଠାରେ ମାନସିକ ରଖିଲେ ରୋଗ ମୁକ୍ତ ହୋଇଥିବାର ବିଶ୍ୱାସ ରହିଛି । ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ମାନେ ଏଠାକୁ ଆସି ରୋଗ ଭଲ ହେବା ପାଇଁ ମାନସିକ ରଖିଥାନ୍ତି।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏବଂ କମିଟି ପକ୍ଷରୁ କଢା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ । ରାହାସ ପୂର୍ଣ୍ଣିମା ଅବସରରେ ଏହି ସ୍ଥାନରେ ମେଳା ଲାଗିଥାଏ । ଏହି ମେଳାରେ ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ଜିନିଷ କିଣାକିଣି କରି, ବିଭିନ୍ନ ପ୍ରକାରର ଖାଦ୍ୟର ମଜା ନେଇଥାନ୍ତି । ଏହି ସ୍ଥାନର ମହତ୍ତ୍ୱ ଭିନ୍ନ ରହିଛି । ଏନେଇ ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମେ । ଲୋକଙ୍କ ଅଗାଢ଼ ବିଶ୍ୱାସ ହିଁ ଏହି ସ୍ଥାନର ମହତ୍ତ୍ୱକୁ ଦ୍ୱିଗୁଣିତ କରିଛି ।

Spread the love