‘ଘୋଡା ଛଅ ଅଣାକୁ ଦାନା ନଅ ଅଣା’ : ଭତ୍ତା ପାଇଁ 400 କିଲାେମିଟର

ଗରିବ, ବୃଦ୍ଧବୃଦ୍ଧା ଏବଂ ନିରାଶ୍ରୟଙ୍କ ପାଇଁ  ସରକାର ଭତ୍ତା ପ୍ରଦାନ କରୁଛନ୍ତି । ଅଧିକ ନହେଲେ ବି କମରେ ସେମାନେ ଖୁସି ହୁଅନ୍ତି । ହେଲେ ଯଦି ସେମାନଙ୍କ ଭତ୍ତା ଠିକ୍ ସମୟରେ ନମିଳେ କିମ୍ବା ଏଥିରେ କିଛି ସମସ୍ୟା ଦେଖାଦିଏ ତେବେ ସେମାନେ ସରକାରଙ୍କ ଉପରୁ ଭରଷା ହରାଇ ଦିଅନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପ୍ରତାପରାମଚନ୍ଦ୍ରପୁର କୁମ୍ଭାରଡିହି ଗ୍ରାମରେ । ଜଣେ 87 ବର୍ଷିୟ ବୃଦ୍ଧବ୍ୟକ୍ତି ଭତ୍ତା ପାଇବା ପାଇଁ  400 କିଲୋମିଟର ଦୌଡୁଛନ୍ତି ।

ଘଟଣାଟି ଏହିପରି, ଏହି ବୃଦ୍ଧ ହେଉଛନ୍ତି ପୁରୀ ଜିଲ୍ଲା ସଦର ବ୍ଲକ୍ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଡିହ ଗ୍ରାମର ଦୁଃଖୀଶ୍ୟାମ ପ୍ରଧାନ। ପରିବାରର  ପ୍ରିପୋଷଣ  ଓ ଦାରିଦ୍ର୍ୟ  ଯୋଗୁଁ  ଦୁଃଖୀଶ୍ୟାମଙ୍କୁ ଗାଁ ଛାଡ଼ିବାକୁ  ପଡିଥିଲା ଅତିତରେ।  ଏଥିପାଇଁ ସେ ଗାଁ ଛାଡ଼ି ସୁଦୂର ରାଉରକେଲାକୁ ଦାଦନ ଖଟିବା ଲାଗି ଚାଲି ଯାଇଥିଲେ। ରାଉରକେଲାର ସେକ୍ଟର-19ରେ ପରିଚିତ ବ୍ୟକ୍ତିଙ୍କ ସହ ରହି କାମଧନ୍ଦା କଲେ। ସେଇଠି ତାଙ୍କୁ ବାର୍ଦ୍ଧକ୍ୟ ଛୁଇଁଲା। ଆଉ ସେତେଟା କାମଧନ୍ଦା ମିଳିଲାନି। ଶେଷରେ ବାର୍ଦ୍ଧକ୍ୟ ଭତ୍ତା ଉପରେ ନିର୍ଭରଶୀଳ ହେଲେ। ଯାହା କିଛି ଟଙ୍କା ମିଳୁଥିଲା ସେଥିରେ କଷ୍ଟେମଷ୍ଟେ ଚଳୁଥିଲେ। 4 ବର୍ଷ ତଳେ ସେ ଗାଁକୁ ଫେରିଛନ୍ତି। ବାର୍ଦ୍ଧକ୍ୟ ହେତୁ ଆଉ ଚାଲିବୁଲି ପାରୁନାହାନ୍ତି। ବାଡ଼ି ନଧରିଲେ ଠିଆ ହେବା କଷ୍ଟକର। ଅନେକ ସମୟରେ ଚାଲି ଚାଲି ଯିବା ସମ୍ଭବ ହେଉନଥିବାରୁ ଘୁ‌ଷୁରି ଘୁଷୁରି ଯାଉଛନ୍ତି।

  ଦୁଃଖୀଶ୍ୟାମ କୁହନ୍ତି ଯେ, ‘ ରାଉରକେଲାରେ ଥିବା ଭତ୍ତା କାଗଜପତ୍ର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତକୁ ଆଣିଦେବା ଅବା ନୂଆ ଭତ୍ତା କରିବାକୁ ବହୁତ କହିଲିଣି। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିସାରିଲିଣି। କିନ୍ତୁ କେହି ମୋ କଥା   ଶୁଣୁନାହାନ୍ତି।’ କାରଣ ଗାଡି ଭଡାକରି ରାଉରକେଲା ଗଲେ ଯେତେ ଖର୍ଚ୍ଚ ହେବ 6ମାସର ଭତ୍ତ ଟଙ୍କାରେ ମଧ୍ୟ ସେ ସୁଝି ପାରିବେନି । ‘କଥାରେ ଅଛି ଘୋଡା ଛଅ ଆଣାକୁ ଦାନା 9 ଅଣା’ ।

Spread the love