ରାଜସ୍ୱ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଅଣ୍ଡାମାଡ଼

ଆଜିଠାରୁ ତିନିଦିନିଆ ତୋଫାନି ଗସ୍ତରେ ନୀଳଗିରି ଆସିଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଶୁକ୍ରବାର ବାଲେଶ୍ଵରରେ ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନରେ ନୀଳଗିରିରେ ପହଁଞ୍ଚିଥିଲେ। ହେଲେ ବାଟରେ ତାଙ୍କୁ ବିରୋଧ କରାଯାଇଛି। ଜାତୀୟ ରାଜପଥରେ ଯୁବ କଂଗ୍ରେସ ତରଫରୁ କଳାପତାକା ଦେଖାଇ ଅଣ୍ଡାମାଡ଼ କରାଯାଇଥିବା ଦେଖାଯାଇଛି। ସେହିପରି ଆମ୍ବୁଡିହା ନିକଟରେ ଯୁବ ବିଜେପି ମଧ୍ୟ କଳାପତାକା ଦେଖାଇ ବିରୋଧ କରିଛି।

ପରେ କଚେରୀ ପରିସରରେ  ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରି ବାଲେଶ୍ଵର ଫେରିଛନ୍ତି ମନ୍ତ୍ରୀ। ଶନିବାର ଦିନ ପୁଣି ନୀଳଗିରି ବ୍ଲକ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ସ୍ମାର୍ଟ କାର୍ଡ ବାଣ୍ଟିବେ । ପୁଣି ରବିବାର ଦିନ ମଧ୍ୟ କାର୍ଡ ବାଣ୍ଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାଜସ୍ୱ ମନ୍ତ୍ରୀଙ୍କ ଗସ୍ତ ସୂଚନା ପରେ ନୀଳଗିରି ରାଜନୀତି ସରଗରମ ହୋଇ ଉଠିଛି। ତେବେ ଏଭଳି ଅଣ୍ଡାମାଡ଼ ଓ କଳାପତାକା ନୂଆକଥା ନୁହଁ ବୋଲି କହିବା ସହ ଏହାର ପରିଣାମ ଆଗକୁ ଭୋଗିବେ ବୋଲି କହିଛନ୍ତି ବିଜେଡି ନେତା । ସେପଟେ ଏଭଳି ଆଚରଣକୁ ନୀଳଗିରି ବିଜେଡି ତୀବ୍ର ନିନ୍ଦା କରିଛି ।

Spread the love