ଦ୍ବିତୀୟଥର ଫଳକ ଓପାଡ଼ିବାକୁ ଆନ୍ଧ୍ରର ଉଦ୍ୟମ: ବିରୋଧ ହେବାରୁ ଫେରିଗଲେ

ଲମତାପୁଟ: ଓଡ଼ିଶାର ସୀମାନ୍ତରେ ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି। ଓପାଡ଼ିଥିବା ଫଳକ ଦ୍ବିତୀୟ ଥର ଲାଗିବାରୁ ଅସହିଷ୍ଣୁ ହୋଇ ଆଜି ପୁଣି ଓପାଡ଼ିବାକୁ ଚାଲିଆସିଥିଲେ। କିନ୍ତୁ ଏଥର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ଆଦୌ ଆକଳନ କରିନଥିବାରୁ ଉତ୍ତେଜନା ବଢ଼ିବା ପୂର୍ବରୁ ଚାଲିଗଲେ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଜଲାପୁଟ ମୁଖ୍ୟ ଜଳଭଣ୍ଡାର ନିକଟରେ ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ଆନ୍ଧ୍ର ଅଧିକାରୀଙ୍କ ହାବଭାବରୁ ପୁଣି ଆସିବେ ବୋଲି ଅନୁମାନ କରାଯାଉଛି।

ବହୁ ବର୍ଷ ତଳେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଅଧୀନସ୍ଥ ଜଲାପୁଟ ଜଳଭଣ୍ଡାର ନିକଟରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ଫଳକ ଲାଗିଥିଲା। ସେଥିରେ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଭାରୀଯାନ ଚଳାଚଳ ନକରିବାକୁ ଉଲ୍ଲେଖ ହୋଇଥିଲା। ଦୁଇ ରାଜ୍ୟର ସୀମାରେ ଏହି ଫଳକ ଲାଗିଥିବା ବେଳେ ଏହି ଅଞ୍ଚଳକୁ ବାରମ୍ବାର ଆନ୍ଧ୍ର ଅଧିକାରୀ ପରିଦର୍ଶନରେ ଆସୁଥିଲେ ସୁଦ୍ଧା ପୂର୍ବରୁ କେବେ ମଧ୍ୟ ଫଳକକୁ ବିରୋଧ କରିନଥିଲେ। କିନ୍ତୁ କୋଟିଆ ଏବଂ ରାଇପାହାଡ଼ ସୀମା ବିବାଦ ବଢ଼ିବା ପରେ ଆନ୍ଧ୍ର ଅସହିଷ୍ଣୁ ହୋଇଯାଇଛି। ଗତ ୨୭ତାରିଖରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ମିଳିତ ଭାବେ ଓଡ଼ିଶା ପକ୍ଷରୁ ଲାଗିଥିବା ଫଳକକୁ ଓପାଡ଼ି ଫୋପଡ଼ା ଦେଇଥିଲା। ଏପରିକି ଜଳ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଲାଗିଥିବା ପ୍ରକଳ୍ପକୁ ମଧ୍ୟ ଓପାଡ଼ିବାକୁ ପଛାଇ ନଥିଲେ ଆନ୍ଧ୍ର ଅଧିକାରୀ।

ଆନ୍ଧ୍ର ଅଧିକାରୀଙ୍କ ଏଭଳି ଦାଦାଗିରି ପରେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଓଡ଼ିଶାର ସମ୍ମାନହାନି ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ ଗୋଟିଏ ଟିମ୍‌ ଗତ ରବିବାର ଦିନ ଘଟଣାସ୍ଥଳରେ ପହଞ୍ଚିଥିଲା। ଆନ୍ଧ୍ର ବିରୋଧରେ ନାରା ଦେଇ ଓପଡ଼ା ଯାଇଥିବା ଫଳକକୁ ସେହି ସ୍ଥାନରେ ପୁଣି ପୋତିଥିଲେ। ତେବେ ଏହି ଖବର ଆନ୍ଧ୍ର ଅଧିକାରୀ ପାଇବା ପରେ ଆଜି ପୁଣି ଜଲାପୁଟ ଜଳଭଣ୍ଡାର ଅଞ୍ଚଳରେ ପହଞ୍ଚିଥିଲେ। ପୁଲିସର ସୁରକ୍ଷା ଘେରା ମଧ୍ୟରେ ମୁଚିମପୁଟ ତହସିଲର ରାଜସ୍ବ ନିରୀକ୍ଷକ, ଅନ୍ୟ ଅଧିକାରୀ ଦ୍ବିତୀୟ ଥର ଓଡ଼ିଶାର ଫଳକକୁ ହଟାଇବା ପାଇଁ ଉଦ୍ୟମ କରିଥିଲେ। ଆନ୍ଧ୍ର ଅଧିକାରୀଙ୍କ ମନମାନି ସଂପର୍କରେ ଜାଣିବା ପରେ ଜଳ ବିଦ୍ୟୁତ ପ୍ରକଳ୍ପର ଅଧିକାରୀ ଏବଂ ଜନପ୍ରତିନିଧି ‌ସେଠାରେ ପହଞ୍ଚିଥିଲେ। ପ୍ରବଳ ପ୍ରତିବାଦ କରିବା ସହ ଦୁଇ ରାଜ୍ୟର ଜିଲ୍ଲାପାଳଙ୍କ ଆଲୋଚନା ପରେ ହିଁ କୌଣସି ପଦକ୍ଷେପ ନିଆଯିବ ବୋଲି ଅଡ଼ି ବସିଥିଲେ। ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ଆନ୍ଧ୍ର ଅଧିକାରୀ ନିରବ ରହିବାକୁ ବାଧ ହୋଇଥିଲେ। କିନ୍ତୁ ଆଜିର ଘଟଣା ପରେ ଓଡ଼ିଶା ସୀମାରେ ନୂଆ ବିବାଦର ସୂତ୍ରପାତ ହୋଇଛି, ଦୁଇ ରାଜ୍ୟ ମଧ୍ୟରେ ଆଗକୁ ଛକାପଞ୍ଝା ବଢ଼ିବ ବୋଲି କୁହାଯାଉଛି।

Spread the love