ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗକୁ ବିଜେଡି ଭୁଲିଗଲା କେମିତି ?: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ତା ୧୯/୦୭: ଗତକାଲି ହୋଇଥିବା ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ । ଓଡିଶାର ସ୍ୱାର୍ଥ୍ୟ, ସ୍ୱାଭିମାନ ସହ ଜଡିତ ଏହି ତିନୋଟି ପ୍ରସଙ୍ଗକୁ କିଭଳି ବିଜୁ ଜନତା ଦଳର ସାଂସଦମାନେ ଭୁଲିଗଲେ ବା ଗୁରୁତ୍ୱ ଦେଲେ ନାହିଁ ତାହା ବଡ ଆଶ୍ଚର୍ଯ୍ୟର ବିଷୟ । ଏହା ଠାରୁ ବଡ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ବୈଠକରେ ଅଧ୍ୟକ୍ଷତା କରୁଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଦିନେ କହୁଥିଲେ ଯେ, ମହାନଦୀ ଆମର ମା’ ବୋଲି ସେ ମଧ୍ୟ କେମିତି ମହାନଦୀ କଥା ଭୁଲିଗଲେ ? ଏହି ତିନୋଟି ପ୍ରସଙ୍ଗ କ’ଣ ଓଡିଶାବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ନୁହେଁ କି ? ବିଜୁ ଜନତା ଦଳ କେବଳ ନିଜର ରାଜନୈତିକ ସ୍ୱାର୍ଥ୍ୟ ସାଧନରେ ବ୍ୟସ୍ତ, ସେମାନେ ଓଡିଶାବାସୀଙ୍କ ମନର କଥା କାହୁଁ ବୁଝିବେ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯେବେଠାରୁ ଛତିଶଗଡରେ କଂଗ୍ରେସ ସରକାର ଆସିଲା ସେବେଠାରୁ ଓଡିଶାର ମୁଖ୍ୟମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ନରମ ହୋଇଗଲେ । ଟ୍ରିବ୍ୟୁନାଲରେ ଛତିଶଗଡ ସରକାର କମନ ଫର୍ମାଟରେ ତଥ୍ୟ ଦେଇସାରିଥିବା ବେଳେ ଓଡିଶା ସରକାର କାହିଁକି ଦେଇପାରିଲେ ନାହିଁ ଏହାର ଜବାବ ରାଜ୍ୟ ସରକାର ଦିଅନ୍ତୁ । ଟ୍ରିବ୍ୟୁନାଲ ଆଗରେ ଓଡିଶା ସରକାରଙ୍କ ଓକିଲ “ଆମେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିନାହୁଁ, ଆମକୁ ଅନେକ ପୃଷ୍ଠା ଲେଖିବା ପାଇଁ ପଡିବ ତେଣୁ ଆମକୁ ୬ ସପ୍ତାହ ସମୟ ଦିଆଯାଉ” ବୋଲି କହିବା ସତ୍ୟ ନୁହେଁ କି ? ଏହା ହିଁ ଦର୍ଶାଉଛି ମହାନଦୀ ଟ୍ରିବ୍ୟୁନାଲରେ ଓଡିଶାବାସୀ ନ୍ୟାୟ ପାଇବା ପାଇଁ ବିଜୁ ଜନତା ଦଳ ସରକାରର କେତେ ଆନ୍ତରିକତା ରହିଛି । ସମାନ ଭାବରେ ପୋଲାଭରମ ବିବାଦରେ ରାଜ୍ୟ ସରକାର ଟ୍ରିବ୍ୟୁନାଲରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା ନକରିପାରିବା କାରଣରୁ ଓଡିଶା ତାର ହକ ହରାଇଲା । ଏବେ ସୁପ୍ରିମକୋର୍ଟରେ ଚାଲୁଥିବା ମାମଲାରେ ମଧ୍ୟ ଓଡିଶା ସରକାର ଯତ୍ନବାନ ହେଉନାହାନ୍ତି । ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି ।
ମହାନଦୀର ତଳମୁଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୩ଟି ବ୍ୟାରେଜରୁ ଗୋଟିଏ ବି ବ୍ୟାରେଜର କାମ ଆରମ୍ଭ ହୋଇପାରିଲା ନାହିଁ । ପ୍ରସ୍ତାବିତ ଅନ୍ୟ ୨୮ଟି କ୍ଷୁଦ୍ର ପ୍ରକଳ୍ପ କେବଳ ସର୍ଭେରେ ଅଟକି ଯାଇଛି । ମହାନଦୀ ଗ୍ରୀନ ମିଶନରେ ୪୮୮ କୋଟି ଟଙ୍କା ଖର୍ଚ୍ଚ ହେଲା, ୫ କୋଟି ଗଛ ଲଗାଯିବ ବୋଲି କୁହାଗଲା ହେଲେ ଗୋଟିଏ ବି ଗଛ ଦେଖିବା ପାଇଁ ମିଳୁନି । ପୁରା ଅର୍ଥକୁ ବିଜୁ ଜନତା ଦଳ ଲୁଟ କରିଲା । ଓଡିଶା ବାସୀଙ୍କ ପ୍ରତି ବିଜୁ ଜନତା ଦଳର ଏହା ଧୋକା ନୁହେଁ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
କୋଟିଆରେ ଓଡିଶା ସରକାରଙ୍କ ପ୍ରଶାସନିକ ବିଫଳତା, ମୁଖ୍ୟମନ୍ତ୍ରୀଙ୍କ ଉଦାସୀନତା ପାଇଁ ଆଜି ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି । ଆନ୍ଧ୍ର ସରକାର ଓଡିଶାର କୋଟିଆ, ଦେଓମାଳିକୁ ଆନ୍ଧ୍ରରେ ମିଶାଇ ଦେବା ପାଇଁ ଷଡଯନ୍ତ୍ର କରୁଛି ଆଉ ଏପଟରେ ଓଡିଶା ସରକାରଙ୍କ ମନ୍ତ୍ରୀ ବିଧାନସଭାରେ କହୁଛନ୍ତି “ଦେଓମାଳି ଓଡିଶା ମ୍ୟାପରେ ନାହିଁ” । ଆନ୍ଧ୍ର ସରକାର କୋଟିଆର ଲୋକଙ୍କୁ ଭୋଟର ପରିଚୟ ପତ୍ର ଦେଇ ଭୋଟ କରାଇ ଦେଉଛନ୍ତି, ଆମ ଓଡିଶା ଜାଗାକୁ ଆନ୍ଧ୍ରର ବୋଲି ଦର୍ଶାଇ ପଟ୍ଟା ବାଂଟୁଛନ୍ତି ହେଲେ ଓଡିଶା ସରକାର ଏହାକୁ ରୋକି ପାରୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ମହିଳା ବିରୋଧୀ ହିଂସାରେ ଓଡିଶା ଆଜି ଦେଶରେ ଏକ ନମ୍ବର, ମହିଳାଙ୍କର ରୋଜଗାର କ୍ଷେତ୍ରରେ ଓଡିଶା ଦେଶରେ ସବୁଠାରୁ ପଛୁଆ । ଓଡିଶାର ମହିଳାମାନେ ଆଜି ସୁରକ୍ଷା ଓ ଆର୍ଥୀକ କ୍ଷେତ୍ରରେ ଆତ୍ମନିର୍ଭର ଚାହୁଁଛନ୍ତି । ଏହି ଦୁଇଟି ଯାକ କ୍ଷେତ୍ରରେ ବିଜୁ ଜନତା ଦଳର ସରକାର ବିଫଳ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Spread the love