ଭୁବନେଶ୍ୱର ସାମ୍ବାଦିକ ସଙ୍ଘର ବାର୍ଷିକ ପତ୍ରିକା ମାନସ ମଙ୍ଗରାଜଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ପତ୍ରିକା “ଭୁବନେଶ୍ୱର ବାର୍ତ୍ତାଜୀବୀ” ରବିବାର ଭର୍ଚୁଆଲ ମୋଡରେ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପତ୍ରିକାର ଉନ୍ମୋଚନ କରି କହିଥିଲେ ଯେ, ମହାମାରୀ ସମୟରେ ଲୋକଙ୍କୁ ସଚେତନ କରିବାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହାମାରୀର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ୨୫ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରାଣ ହରାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସହ ସେମାନଙ୍କ ଲାଗି ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା କରିଛନ୍ତି । ଏଥିସହ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ଲାଗି ଟିକାକରଣ ବ୍ୟବସ୍ଥା କରାଯାଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସତର୍କତାର ସହ କାମ କରିବା ଲାଗି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସାମ୍ବାଦିକ ସଂଘ ଉପସଭାପତି ଗଗନ ସ୍ୱାଇଁ, ସାଧାରଣ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାସ, ସଂଗଠନ ସମ୍ପାଦକ ଜିତେନ୍ଦ୍ର ମହାନ୍ତି, ନୃସିଂହ ମହାପାତ୍ର, ଜିତେନ୍ଦ୍ର ସାହୁ, ମନୋଜ ପ୍ରଧାନ, ମାମାଲି ବେବର୍ତ୍ତା, ପ୍ରଦୀପ ବୈଶାଖ, ସୁରେଶ ସ୍ୱାଇଁ, ଜାତୀୟ ପରିଷଦ ସଦସ୍ୟ ମୁରଲୀଧର ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ସଇସ, ଦୟାନନ୍ଦ ଖାଡଙ୍ଗାଙ୍କ ସମେତ ବହୁ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ ।

Spread the love