୩୧ରେ ଆଉ ଏକ ଲଘୁଚାପ

ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ଏବଂ ୩ରେ ଉପକୂଳରେ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟା ବେଳକୁ ମିଆମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ଚୀନ୍‌ ସାଗରରେ ସୃଷ୍ଟି ହୋଇଥିବା ମୋଲାଭୋ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗରକୁ ଆସି ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଶୁକ୍ରବାରରେ ଦକ୍ଷିଣ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ସୃଷ୍ଟି କରି ୩୧ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ନଭେମ୍ବର ୧ ତାରିଖରେ ଏହା ଉତ୍ତର ବଙ୍ଗୋପସାଗରରେ କିଛି ମାତ୍ରାରେ ସଂଗଠିତ ହୋଇ ପଶ୍ଚିମବଙ୍ଗ/ବାଂଲାଦେଶକୁ ଗତି କରିବ । ୨ ତାରିଖରେ ପୁଣି ଏହା ବଙ୍ଗୋପସାରର ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଲଘୁଚାପ ବଳୟ ରହିବ। ଏହାର ପ୍ରଭାବରେ ୨ ତାରିଖ ସମୁଦ୍ରତଟ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ସେହିପରି ୩ ତାରିଖରେ ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି । ଶୁକ୍ରବାରରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ ତାରିଖ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବଢ଼ିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ପ୍ରାୟତଃ ଅପରିବର୍ତ୍ତିତ ରହିବ । ୪ ତାରିଖରୁ ପୁଣି ସର୍ବନିମ୍ନ ତାପମାତ୍ରା କମିବା ଯୋଗୁଁ ଥଣ୍ଡା ପୁଣି ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଆସନ୍ତାକାଲିଠୁ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ଂ ସେଲସିୟସ୍‌ ପର୍ଯ୍ୟନ୍ତ କମିବ । ଦୁଇରୁ ତିନିଦିନ ପରେ ପୁଣି ତାପମାତ୍ରା ବଢ଼ିବ । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

Spread the love