ଓଡ଼ିଶାକୁ ଭିଜାଇବ ଆଉ ଏକ ପଶ୍ଚିମା ଝଡ଼

ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ସରିଲା । ଆସୁଛି ଆଉ ଗୋଟିଏ । ଆଜିଠାରୁ ଆଉ ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଭାରତ ଉପରେ ପଡ଼ିବ । ମଧ୍ୟରାତିରୁ ଦେଶର ଉତ୍ତର ପଶ୍ଚିମ ଭାଗରୁ ଆରମ୍ଭ ହେବ ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୫ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ପକାଇବ ପ୍ରଭାବ। ରାଜ୍ୟର କିଛି କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ତେବେ ଏହାର ପରିମାଣ କମ୍‌ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରତିବର୍ଷ ଦେଶର ଉତ୍ତର ଭାରତ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିଥାଏ । ଏହାଦ୍ୱାରା ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ମଧ୍ୟ କିଛି ମାତ୍ରାରେ ପ୍ରଭାବ ପଡ଼େ । ଏହି ସମୟରେ ଏହା ସହିତ ଜଡିତ ଟ୍ରପ୍‌ ଲାଇନ୍‌ ଦକ୍ଷିଣ ମୁହାଁ ହେଲେ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗ ଆଜି ପଶ୍ଚିମା ଝଡ଼ରେ ପ୍ରଭାବିତ ହୋଇ ଥାଆନ୍ତି । ଗତ ସପ୍ତାହରେ ରାଜ୍ୟରେ ପ୍ରକୋପ ଦେଖାଇଥିଲା ପଶ୍ଚିମା ଝଡ଼ । ଗତକାଲିଠାରୁ ଏହାର ପ୍ରଭାବ କମିଛି । ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ।

Spread the love