ସୋଆ କୃଷି ମହାବିଦ୍ୟାଳୟ ଦ୍ୱାରା ଆଣ୍ଟି ନାର୍କୋଟିକ୍ସ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌)ର ଜାତୀୟ ସେବା ସଂସ୍ଥା (ଏନ୍‌ଏସ୍‌ଏସ୍‌) ୟୁନିଟ ପକ୍ଷରୁ ଗତ ସୋମବାର ଦିନ ପଣ୍ଡାକୁଦିଆ ବସ୍ତି ଅଂଚଳରେ ଏକ ଆଂଟି ନାର୍କୋଟିକ୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଏନଏସ୍‌ଏସ୍ ସ୍ୱେଚ୍ଛାସେବୀ ସକ୍ରୀୟ ଭାଗ ନେଇଥିଲେ। ଏହି କର୍ମଶାଳାଟିକୁ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରୋଗ୍ରାମ କୋଅର୍ଡିନେଟର ପ୍ରଫେସର କମଳ ଲୋଚନ ମହନ୍ତ ଓ ବରିଷ୍ଠ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ସରୋଜ କୁମାର ମହାନ୍ତି ଉଦ୍‌ଘାଟନ କରି ନିଶା ଓ ମାଦକ ଦ୍ରବ୍ୟର ଅପକାରିତା ଓ ଶରୀର ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧିୟ ସତର୍କତା ଅବଲମ୍ବନ କରିବାକୁ ବସ୍ତି ବାସିନ୍ଦାମାନଙ୍କୁ ନିବେଦନ କରିଥିଲେ । ଏହି କର୍ମଶାଳାଟିରେ ପଣ୍ଡାକୁଦିଆର ଶତାଧିକ ବସ୍ତି ବାସିନ୍ଦା ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ମାନସ ଦାସଙ୍କ ରଚିତ ପଥପ୍ରାନ୍ତ ନୁକ୍‌କଡ ନାଟକ “ନିଶାକୁ ନା” ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଏହି ନାଟକ ମାଧ୍ୟମରେ ମାଦକ ଦ୍ରବ୍ୟ ବ୍ୟବହାର, ତା’ର କୁପରିଣାମ ଏବଂ ଏହାର ଅପକାରିତା ବିଷୟରେ ଅବଗତ କରାଇବା ସହ ଗ୍ରାମବାସୀମାନେ ସମୁହ ଶପଥ ଗ୍ରହଣ କରିଥିଲେ । ଏଥିରେ ସମସ୍ତେ ନିଶାମୁକ୍ତ ସମାଜ ଗଢ଼ିବା ପାଇଁ ପ୍ରତିବଦ୍ଧ ହେବାକୁ ସଂକଳ୍ପ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ଓ ଗ୍ରାମବାସୀମାନେ ପଦଯାତ୍ରା କରି ନିଶା ନିବାରଣର ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ମନରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ ସମାଜ ଗଠନରେ ଏକ ସାର୍ଥକ ପଦକ୍ଷେପ ସାବ୍ୟସ୍ତ ହୋଇପାରିଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ ଅଫିସର ଡକ୍ଟର ସତ୍ୟ ନାରାୟଣ ଶତପଥୀ, ଡକ୍ଟର ମୁକେଶ କୁମାର ପାତ୍ର ଏବଂ ଡକ୍ଟର ଶ୍ୱେତା ରଥ ପରିଚାଳନା କରିଥିଲେ ।

Spread the love