ବିଜେଡ଼ିରେ ଅନୁଭବ ଅଳିଆ

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ନିର୍ବାଚନ ପାଇଁ ଫ୍ଲେକ୍ସ ଓ ବ୍ୟାନର ପ୍ରିଣ୍ଟ କରାଇ ଟଙ୍କା ଦେଇନଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଏ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରାପୁରର ଜଣେ ବ୍ୟବସାୟୀ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଗରାପୁର ସ୍ଥିତ ବଳଦେବଜିୟୁ ଆଡ଼ ମିଡ଼ିଆରେ ନିର୍ବାଚନୀ ବ୍ୟାନର, ପୋଷ୍ଟର ଏବଂ ଗାଡି ଡେକୋରେସନ ପାଇଁ ପ୍ରିଣ୍ଟ କରାଇଥିଲେ ଅନୁଭବ। ଦେୟ ବାବଦକୁ ମୋଟ ୩୨ ଲକ୍ଷ ୫୬ ହଜାର ୪୦୦ ଟଙ୍କା ହୋଇଥିବାବେଳେ ବ୍ୟବସାୟୀ ଜଣଙ୍କ ୨୧ ଲକ୍ଷ ୧୦ ହଜାର ୯୬୧ ଟଙ୍କା ପାଇଛନ୍ତି । ଅବଶିଷ୍ଟ ବାକି ଟଙ୍କା ପାଇଁ ବାରମ୍ବାର ସାଂସଦଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହୋଇଥିବା କହିଛନ୍ତି ବ୍ୟବସାୟୀ ସ୍ମୃତିରଞ୍ଜନ ସ୍ୱାଇଁ । ମାତ୍ର ଏଯାବତ ତାଙ୍କୁ ଟଙ୍କା ମିଳିଲା ନାହିଁ ।

ସାଂସଦଙ୍କ ଏଭଳି କାମରେ ଅତିଷ୍ଠ ହୋଇ ଶେଷରେ ବ୍ୟବସାୟୀ ଜଣଙ୍କ ପ୍ରଥମେ କେନ୍ଦ୍ରାପଡ଼ା ସଦର ଥାନାରେ ଅନଲାଇନ ଯୋଗେ ଓ ପରେ ବ୍ୟକ୍ତିଗତ ଭାବରେ ଏତଲା ଦେଇଛନ୍ତି । ସେପଟେ ସ୍ୱାଭିମାନର ପାଠ ପଢ଼ାଉଥିବା ସାଂସଦ ଅନୁଭବଙ୍କ ଏଭଳି କାମକୁ ନିନ୍ଦା କରିଛନ୍ତି ଆଇନଜୀବୀ । ସେପଟେ ଥାନାରେ ବ୍ୟବସାୟୀଙ୍କ ଏତଲାକୁ ପୋଲିସ ଗ୍ରହଣ କରିଛି କି ନାହିଁ ତାହା ଜଣାପଡିନଥିବାବେଳେ ଅଭିଯୋଗ ନେଇ ସାଂସଦ ଅନୁଭବ ତାଙ୍କୁ ବଦନାମ କରିବାର ଏହା ଏକ ପ୍ରୟାସ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ନିର୍ବାଚନରେ ଖର୍ଚ୍ଚ ହୋଇଥିବା ସମସ୍ତଙ୍କ ଟଙ୍କା ସେ ପ୍ରଦାନ କରିସାରିଛନ୍ତି ।

Spread the love