ତିଆରି ହେବ ୮ ହଜାର କିମି ‘ଫାୟାର୍ ଲାଇନ୍’; ଫାୟାର୍‌ ଫାଇଟିଂ ମାଷ୍ଟରପ୍ଲାନ୍‌

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :  ଫଗୁଣରୁ ଅନୁଭୂତ ହେଲାଣି ଧୁ ଧୁ ଖରା। ରେକର୍ଡ଼ ଭାଙ୍ଗିଲାଣି ରାଜଧାନୀ ତାତି। ଏହାକୁ ଦୃଷ୍ଟିରେ ରଖି ଏବେଠୁ ଫାୟାର ଫାଇଟିଂ ପ୍ଲାନ୍ କରିଛି ବନ ବିଭାଗ। ନିଆଁ କବଳରୁ ଜଙ୍ଗଲ ସମ୍ପଦକୁ କେମିତି ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ଅନୁଗୁଳ ସର୍କଲ ଅଧୀନସ୍ଥ ସାତ ଖଣ୍ଡ ବନଖଣ୍ଡକୁ ନେଇ ମୋଟ୍‌ ତିନି କୋଟି ୨୭ ଲକ୍ଷ ଟଙ୍କାର ମାଷ୍ଟର ପ୍ଲାନ କରାଯାଇଛି। ବିଶେଷ କରି ପୁରସ୍କାରଠୁ ଆରମ୍ଭ କରି ଦଣ୍ଡ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା ପ୍ଲାନ ଭିତରେ ଡିଏଫ୍‌ଓମାନେ ସ୍ଥାନିତ କରିଛନ୍ତି।
କିଏ ଜଙ୍ଗଲରେ ନିଆଁ ଲଗାଉଛି ତା’ ସମ୍ପର୍କରେ ଗୋପନୀୟ ସୂଚନା ଦେଲେ ବନ ବିଭାଗ ଇନ୍‌ଫର୍ମରକୁ ୫ଶହ ଟଙ୍କା ଲେଖାଏ ପୁରସ୍କାର ରାଶି ଦେବାକୁ ଆଠମଲ୍ଲିକ ବନଖଣ୍ଡ ପ୍ଲାନ କରିଛି। ପୁରସ୍କାର ପାଇବାର ଲାଳସା ଏବଂ ଧରା ପଡ଼ିଲେ ଦଣ୍ଡିତ ହେବାର ଭୟ ମନୁଷ୍ୟକୃତ ନିଆଁ ମୁହଁରୁ ଜଙ୍ଗଲ ସମ୍ପଦକୁ ସୁରକ୍ଷିତ ରଖି ପାରିବ ବୋଲି ଆଶା କରାଯାଉଛି। 
  ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ତଥ୍ୟ ମୁତାବକ, ପ୍ରତିବର୍ଷ ଭଳି ଏଥର ଅନୁଗୁଳ, ଆଠମଲ୍ଲିକ, ଆଠଗଡ଼, କଟକ ଓ ଢେଙ୍କାନାଳ ପ୍ରମୁଖ ୫ଟି ଟେରିଟୋରିଆଲ୍‌ ବନଖଣ୍ଡ ନିଜ ନିଜ ବନାଗ୍ନି ମୁକାବିଲା ପ୍ଲାନ ତିଆରି କରିଛନ୍ତି। ମୋଟ୍‌ ଉପରେ ହିସାବ କଲେ, ଏହି ପାଞ୍ଚଟି ବନଖଣ୍ଡର ଡିଏଫ୍‌ଓ ସମୁଦାୟ ୨କୋଟି ୩୧ଲକ୍ଷ ୮୫ହଜାର ଟଙ୍କା ଅନୁଦାନ ମାଗିଛନ୍ତି।
ସେହିପରି ସାତକୋଶିଆ ଏବଂ ମହାନଦୀ ୱାଇଲ୍‌ଡ଼ ଲାଇଫ୍‌ ଡିଭିଜନରେ ପିସିସିଏଫ୍‌ଙ୍କ ଠାରୁ ୯୫ଲକ୍ଷ ୮୫ହଜାର ଟଙ୍କାର ସ୍ବତନ୍ତ୍ର ମାଷ୍ଟର ପ୍ଲାନ୍‌ କରି ପଠାଇଥିବା ଜଣାପଡ଼ିଛି।
ମୋଟ୍‌ ଉପରେ ସାତ ବନଖଣ୍ଡ ମଧ୍ୟରେ ଦୀର୍ଘ ୭ହଜାର ୯୬୫ କିଲୋମିଟର ବ୍ୟାପ୍ତ ଫାୟାର ଲାଇନ୍‌ର ପ୍ଲାନ୍‌ କରାଯାଇଥିବା ବେଳେ ୬ଶହ ୮୬ଟି ସ୍କ୍ବାଡ଼୍‌ ନିଆଁଲିଭା କାମରେ ନିୟୋଜିତ କରିବାକୁ ପ୍ଲାନ୍‌ରେ ଦର୍ଶାଯାଇଛି। ଏହି ସାତ ବନଖଣ୍ଡ ମଧ୍ୟରୁ ଢେଙ୍କାନାଳର ମୁକାବିଲା ପ୍ଲାନ ବେଶ୍‌ ବୃହତ୍‌କାୟ। ଏକାକୀ ଢେଙ୍କାନାଳ ବନଖଣ୍ଡ ୫ହଜାର ୧୧୬କିଲୋମିଟର ବ୍ୟାପ୍ତ ଫାୟାର୍‌ ଲାଇନ୍ ତିଆରି କରିବାକୁ ଯୋଜନା କରିଥିବା ବେଳେ ୧୦୦ ଅସ୍ଥାୟୀ ସ୍କ୍ବାଡ଼୍‌ ନିୟୋଜିତ କରିବାକୁ ଯୋଜନା କରିଛି।
ଏଥିପାଇଁ ସରକାରଙ୍କୁ ମାଗିଛି ୮୦ଲକ୍ଷ ୩୦ହଜାର ଅନୁଦାନ। 
ଫାୟାର୍‌ ଲାଇନ୍‌, ସ୍କ୍ବାଡ଼୍‌ ବାଦ୍‌ ମଞ୍ଚା, ଗାଡ଼ି, ସଚେତନତା, ପୋଷ୍ଟର ବ୍ୟାନର, ନିଆଁ ଲିଭା ସରଞ୍ଜାମ, ପୁରସ୍କାର ଏବଂ ଦଣ୍ଡ ଆଦି ବିଭିନ୍ନ ପ୍ରକାର ଡିଏଫ୍‌ଓମାନେ କରିଥିବା ଜଣାପଡ଼ିଛି। ବନ କର୍ମଚାରୀ ବାଦ୍‌ ସ୍ଥାନୀୟ ଜନତାଙ୍କୁ ବି ନିଆଁ ଲିଭା କାମରେ ନିୟୋଜିତ କରାଇଛି। ବନ ସୁରକ୍ଷା ସମିତିଙ୍କୁ ପ୍ରୋତ୍ସାହନ ରାଶି ଏବଂ ଇନ୍‌ଫର୍ମରଙ୍କୁ ପୁରସ୍କାର ଦିଆଯିବାର ବ୍ୟବସ୍ଥା ଏଥର ରଖାଯାଇଛି ବୋଲି ଆଠମଲ୍ଲିକ ଡିଏଫ୍‌ଓ ସମ୍ୟକ୍ତ ସାମନ୍ତରା ସମ୍ବାଦକୁ କହିଛନ୍ତି। ଜଙ୍ଗଲ ସୁରକ୍ଷାରେ ବନ ସୁରକ୍ଷା ସମିତିଙ୍କର ସମ୍ପୃକ୍ତି ନିତାନ୍ତ ଲୋଡ଼ା। 
ଆମେ ଇତିମଧ୍ୟରେ ୩୩୨ଗାଁରେ ସଚେତନତା ସଭା କରି ଆସୁଛୁ। ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଉଛି। ଏହାବାଦ୍‌ ଇନ୍‌ଫର୍ମରମାନଙ୍କର ମଧ୍ୟ ସହାୟତା ନିଆଯିବ। ଜଙ୍ଗଲ ନିଆଁ ସମ୍ପର୍କରେ ଆମକୁ ସଠିକ୍‌ ସୂଚନା ଦେଲେ ନାମକୁ ଗୋପନୀୟ ରଖି ତାଙ୍କୁ ପୁରସ୍କୃତ କରାଯିବ ଏବଂ ନିଆଁ ଲଗାଇଥିବା ଲୋକଙ୍କୁ ଦଣ୍ଡିତ କରାଯିବ ବୋଲି ଶ୍ରୀ ସାମନ୍ତରା ସୂଚନା ଦେଇଛନ୍ତି। 
 
Spread the love