୧୭ରେ ମେଗା ଆଇନ ସେବା ଶିବିର

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):   ଆସନ୍ତା ୧୭ ତାରିଖରେ ବିଜୁ ମଇଦାନରେ ହେବାକୁ ଥିବା ମେଗା ଆଇନ ସେବା ଶିବିରର ସଫଳତା ପାଇଁ  ଜିଲ୍ଲା ଓ ଦୌରା ଜଜ୍‌ ଅଶାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ସର୍କିଟ୍‌ ହାଉସ୍‌ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାରୁ ୫ ହଜାରରୁ ଅଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଓ ଉଚ୍ଚ ନ୍ୟାୟାଳୟର ପ୍ରସ୍ତାବ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହିଭଳି ଶିବିର ଆୟୋଜନ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ସହାୟତା ପ୍ରଦାନ କରାଯିବ।

ଅନୁଗୁଳରେ ଏହି ଶିବିର ଆୟୋଜନ ମାଧ୍ୟମରେ ୬୦ରୁ ଉର୍ଦ୍ଧ୍ବ ପ୍ରଦର୍ଶନୀ ମଣ୍ତପରେ ବିଭିନ୍ନ ବିଭାଗର କାର୍ଯ୍ୟାବଳି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇ ସହାୟତା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାପାଳ ଅନିଲ୍‌ ସାମଲ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ ବିଭାଗୀୟ କାର୍ଯ୍ୟାବଳି ସମ୍ପର୍କରେ ପ୍ରଦର୍ଶନୀ ମଣ୍ଡପ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରି ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।

ବୈଠକର ସିଭିଲ୍‌ କୋର୍ଟର ରେଜିଷ୍ଟାର ପ୍ରଣତି ପଟ୍ଟନାୟକ, ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତ୍ତିରାୟ, ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଡିଏଫଓ ଭି. କାର୍ତ୍ତିକ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଅଭିନନ୍ଦିତା ପଣ୍ଡା ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଡିଏମ୍‌ ତପନ ଶତପଥୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚେନା କରିଥିଲେ। ସିଡିଏମ୍ଓ  ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

 
Spread the love