ସମିତି ବୈଠକରେ ହଟ୍ଟଗୋଳ: ବିଧାୟକଙ୍କ ହସ୍ତକ୍ଷେପକୁ କଡା ସମାଲୋଚନା କଲେ ବ୍ଲକ ଅଧ୍ୟକ୍ଷ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) : ଶୁକ୍ରବାର ଅନୁଗୋଳ ବ୍ଲକ ସଭାଗୃହରେ,ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧିନସ୍ଥ ୩୪ଜଣ ସରପଞ୍ଚ, ସମିତିସଭ୍ଯ,ସଭ୍ଯା ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ ସମିତି ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ ନିଜର ଅସହାୟତା ସମ୍ପର୍କରେ ଜଣାଇଥିଲେ । ଲୋକଙ୍କ ଧରଣା ଯେ ବ୍ଲକ ଅଧ୍ୟକ୍ଷ ସମିତିର ମାଲିକ ,କିନ୍ତୁ ମୁଁ ନିଜେ ଜଣେ ଚାକର ଠାରୁ ନ୍ଯୁନ ବୋଲି ସେ କହିଥିଲେ ।

ଏହା ସହ ବ୍ଲକ ପ୍ରଶାସନକୁ କଡା ସମାଲୋଚନା କରିଥିଲେ । କାହା ଚାପରେ ଉନ୍ନୟନ ମୂଳକ କାର୍ଯ୍ଯ ଠପ୍ ହୋଇଛି ବୋଲି ପଚାରିଥିଲେ । ଯଦି ସମିତିର ଅଧ୍ୟଙ୍କ କଥା କେହି ଶୁଣିବେନି ,ଅଧ୍ୟକ୍ଷ କେହି ନୁହଁନ୍ତି ,କାମ କିଛି ହେବନି, ତେବେ ଅଧ୍ୟକ୍ଷ କାହିଁକି ରହିବି ବୋଲି କହିଥିଲେ । ବ୍ଲକ ପ୍ରଶାସନ ଠିକ୍ ଭାବରେ ସହଯୋଗ ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣା ଦେବାକୁ ଚେତାବନି ଦେଇଛନ୍ତି।

ଏଥିସହ ସମସ୍ତ ସଦସ୍ଯ ମାନଙ୍କ ସହଯୋଗ କାମନା କରିଥିଲେ । ସମସ୍ତ ସଭ୍ଯ ମାନେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବା ସହ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ଯ ପାଇଁ ଦୃଢ ନିନ୍ଦା କରିଥିଲା । ଏହାର ଉତ୍ତରରେ ବିଡିଓ ମାୟାଧର ବେହେରା କହିଥିଲେ ,ଆମେ ନିରୁପାୟ । ଅନୁଗୋଳ ବିଧାୟକ ସବୁ କାର୍ଯ୍ଯରେ ହସ୍ତକ୍ଷେପ କରୁଛନ୍ତି । 

ଏଠାରେ ପ୍ରକାଶ ଥାଉକି, ଅନୁଗୋଳ ବ୍ଲକରେ ଆମ ଗାଁ ଆମ ବିକାଶ,ଅଙ୍ଗନଓ୍ବାଡି ଗୃହ ନିର୍ମାଣ,ଗୋପବନ୍ଧୁ ଗ୍ରାମୀଣ ଯୋଜନା,ବିଜୁପକ୍କା ଘର ,ଆବାସ ଯୋଜନା,ତିତିଲି କ୍ଷୟକ୍ଷତି ଅନୁଦାନ ଆଦି ସରକାରୀ ଯୋଜନା ଗୁଡିକ କାମ ନହୋଇ କୋଟି କୋଟି ଟଙ୍କା ପଡିରହିଛି । ବିଧାୟକଙ୍କ ହସ୍ତକ୍ଷେପ ଓ ଅପାରଗ ବ୍ଲକ ପ୍ରଶାସନର ସ୍ଥାଣୁତାକୁ ସରପଞ୍ଚ ସଂଘ ସଭାପତି କନ୍ଦର୍ପ ମହାରଣା ଦୃଢ ନିନ୍ଦା କରିବାସହ ସମିତି ଦ୍ବାରା ଗଠିତ ଓ୍ବାର୍କ୍ସ କମିଟି ଦ୍ବାରା କାର୍ଯ୍ଯ ସଂପାଦନ ପାଇଁ ଦାବି କରିଥିଲେ ।  

Spread the love