ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ବିଭିନ୍ନ ସଙ୍ଗଠନ ଓ ଦଳ ପକ୍ଷରୁ ଏସ୍.ପି. ଅଫିସ୍ ଓ ଥାନା ସମ୍ମୁଖରେ ବିକ୍ଷୋଭ ଓ ରାସ୍ତାରୋକ

କ୍ଷତିପୂରଣ ଏବଂ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ


ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ )- ଅନୁଗୁଳ ସହର ଉପକଣ୍ଠସ୍ଥ କାଙ୍ଗୁଲା ଗ୍ରାମର ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଦୁଷ୍କର୍ମ ଓ ପରେ ଘଟଣା ପ୍ରଘଟ ହୋଇଯିବା ଭୟରେ ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସମଗ୍ର ଅଞ୍ଚଳକୁ ଦୋହଲାଇ ଦେଇଛି । ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ସମେତ ଛାତ୍ର, ଯୁବ ଓ ମହିଳା ସଂଗଠନର କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ମିଳିତ ଭାବେ ସହରରେ ଶୋଭାଯାତ୍ରା କରାଯିବା ସହ ନାବାଳିକା ଛାତ୍ରୀ ଦୁଷ୍କର୍ମ ଓ ହତ୍ୟାକାରୀକୁ ତୁରନ୍ତ ଗରିଫ କରି କଠୋର ଦଣ୍ଡ ଦେବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବୀରେ ଏସ୍.ପି. ଅଫିସ୍ ଏବଂ ଥାନା ସମ୍ମୁଖରେ ଗ୍ରାମବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅନୁଗୁଳ ଆଠଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଥିଲା । ଅପରାଧିକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା କରିବା ସହିତ ରାଜ୍ୟ ସରକାର ତୁରନ୍ତ ମଦ , ଅଶ୍ଳୀଳତାର ପ୍ରଚାର ପ୍ରସାର ବନ୍ଦ କରିବାକୁ ଆନ୍ଦୋକାରୀ ମାନେ ଦାବି କରିଥିଲେ । ସେହିପରି ବିଜେପି ନେତା ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଦୁଷ୍କର୍ମକାରୀ ତଥା ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଏସ.ପି.ଙ୍କ ନିକଟରେ ଦାବୀ କରିଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନା ଏବଂ ଓକିଲ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ କାଙ୍ଗୁଲା ଗ୍ରାମବାସୀ ମଧ୍ୟାହ୍ନ ୨ଟା ବେଳେ ଅନୁଗୁଳ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ମହିଳା  କଂଗ୍ରେସ ପକ୍ଷରୁ ସଭାନେତ୍ରୀ ସବିତା ଧୀର,ରାଜ୍ୟ ମହିଳା କଂଗ୍ରେସର ଉପସଭାନେତ୍ରୀ ସୁକାନ୍ତି ଦାସଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସ କର୍ମୀ , ଯୁବ କଂଗ୍ରେସ କର୍ମୀ , ଛାତ୍ର କଂଗ୍ରେସ କର୍ମୀ ପ୍ରମୁଖ ଦୁଷ୍କର୍ମକାରୀ ତଥା ହତ୍ୟାକାରୀକୁ ତୁରନ୍ତ ଗିରଫ କରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ.ପିଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଉଚ୍ଚ ପଦସ୍ଥ ଅଧିକାରୀ ବିକ୍ଷୋଭସ୍ଥଳକୁ ଆସି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରି ଥିଲେ । 

 

 
ଶବ ବ୍ୟବଛେଦ ପରେ ଶୋକାକୁଳ ପରିବେଶରେ ଶବ ସତ୍କାର
 
ରବିବାର ଏଭଳି ଅଭାବନୀୟ ଘଟଣା ପରେ ରାତିରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାତିରେ ମୃତ ଦେହ ଆଣି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ରଖା ଯାଇଥିଲା । ସୋମବାର ଅପରାହ୍ନରେ ନାବାଳିକାଙ୍କ ମୃତଦେହକୁ ମାଜିଷ୍ର୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟବଛେଦ କରା ଯିବା ପରେ ତାଙ୍କ ଗାଁ କାଙ୍ଗୁଲାକୁ ନିଆ ଯାଇଥିଲା । ସେଠାରେ ଏକ ଶୋକାକୁଳ ପରିବେଶରେ ନାବାଳିକାଙ୍କ ଶବ ସତ୍କାର କରା ଯାଇଛି । ଡାକ୍ତରଖାନାରୁ ଗାଁକୁ ମୃତ ଦେହ ଆଣିବା ପରେ କାନ୍ଦରେ ଫାଟି ପଟିଥିଲା ଗାଁ । ଏପଟେ ଘଟଣା ଜଣାଯିବା ପରଠାରୁ ବାହୁନି ବାହୁନି କାନ୍ଦୁଛନ୍ତି ମା ଓ ବଡ ଭଉଣୀ । ଏଭଳି ନାରକୀୟ କାଣ୍ଡ ଭିଆଇଥିବା ନରରୁପି ରାକ୍ଷସକୁ ଅତି ଶିଘ୍ର ଗିରଫ କରି ଫାଶି ଖୁଣ୍ଟରେ ଝୁଲାଇ ଦେବାକୁ ସେମାନେ ଅଳି କରିଛନ୍ତି ।
 
ଘଟଣା ସ୍ଥଳରୁ ମିଳିଲା ପ୍ରମାଣ
 
ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । କିଛି ଗ୍ରାମବାସୀଙ୍କ ସୁଚନା ଆଧାରକୁ ଭିତ୍ତି କରି ସେହି ଗ୍ରାମର ଜଣେ ପାଇପ କାମ କରୁଥିବା ଯୁବକ ଅନାମ ଦେହୁରୀ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଜାଣିବାକୁ ପାଇଛି । ତାକୁ ଧରିବା ପାଇଁ ପୋଲିସ ୩ ଟି ଟିମ ଗଠନ କରି ଢେଙ୍କାନାଳ , କଟକ ଆଦିର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ଅଭିଯୁକ୍ତ ଧରିବାରେ ସଫଳ ହୋଇ ପାରି ନାହିଁ । ଅନ୍ୟପଟେ ସୋମବାର ସକାଳୁ ସାଇଣ୍ଟିଫିକ ଟିମ ଏବଂ ସଦ୍ଧାନୀ କୁକୁର ସହାୟତାରେ ଘଟଣା ସ୍ଥଳରେ ଛାନଭିନ କରିଥିଲା । ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ବେଳେ ଘଟଣା ସ୍ଥଳ ନିକଟରୁ ଅଭିଯୁକ୍ତ ଗୋଟିଏ ପ୍ୟାଣ୍ଟ , ସାର୍ଟ ଏବଂ ଚପଲ ଜବତ କରା ଯାଇଛି ।
 
ସ୍କୁଲରେ ଶୋକ
 
ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ଏଭଳି ମୃତ୍ୟୁରେ କାଙ୍ଗୁଲା ଗ୍ରାମ ସମେତ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇ ଯାଇଛି । ଆଉ ସେ ପଢୁଥିବା କାଙ୍ଗୁଲା ଉଚ୍ଚ ପ୍ରାଥମିକ ନୋଡାଲ ସ୍କୁଲରେ ଆଜି ପାଠ ପଢା ଠପ ହୋଇ ଯାଇଛି । ଶିକ୍ଷକ ଶିକ୍ଷୟତ୍ରୀ ହୁଅନ୍ତୁ କିମ୍ବା ସହପାଠୀ , ସମସ୍ତଙ୍କ ମୁହଁରେ ନାବାଳିକାଙ୍କ ପ୍ରଶଂସା । କେବଳ ଯେ ଭଲ ପାଠ ପଢୁଥିଲେ ତା ନୁହେଁ । ନାଚ ଗୀତରେ ବେଶ୍ ଭଲ ଥିିବା ସାଙ୍ଗକୁ ବ୍ୟବହାର ତାଙ୍କର ବେଶ୍ ଭଦ୍ର ଏବଂ ଆମାୟିକ ଥିଲା । ଏଣୁ ସେ ସମସ୍ତଙ୍କ ପ୍ରିୟ ହୋଇ ରହିଥିଲେ । ତାଙ୍କ ଏଭଳି ମୃତ୍ୟୁରେ ସ୍କୁଲରେ ମଧ୍ୟ ଶୋକାକୁଳ ପରିବେଶ । ତାଙ୍କ ବିଷୟରେ କହିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସହପାଠୀଙ୍କ ଆଖିରେ ଲୁହ ବହି ଆସୁଥିଲା । ତାଙ୍କ ବିୟୋଗରେ ସ୍କୁଲରେ ନିରବ ପ୍ରାର୍ଥନା କରାଯିବା ସହ ଗାଁରେ ନିରବ ଶୋଭାଯତ୍ରା କରା ଯାଇଥିଲା । 
 
ସଦର ପୋଲିସ ଷ୍ଟେସନ ସାଙ୍ଗକୁ ଫାଣ୍ଡି ଦାବୀ କଲା କଂଗ୍ରେସ
 
ଏଭଳି ଏକ ଲଜ୍ୟା ଜନକ ଏବଂ ଲୋମ ହର୍ଷଣକାରୀ ଘଟଣା ପରେ ଜିଲ୍ଲା କଂଗ୍ରେସ କମିଟି ଓବିସିସେଲ ସଭାପତି ତଥା ଓକିଲ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନାରକୀୟ ଘଟଣାକୁ ନିନ୍ଦା କରାଯାଇଛି । ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନୀରିହା ନାବାଳିକା ର ପରିବାରଙ୍କୁ କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା , କାଙ୍ଗୁଲା ଗ୍ରାମରେ ପୁଲିସ ଫାଣ୍ଡି , ତୁରନ୍ତ ଅନୁଗୁଳ ପାଇଁ ସଦର ଥାନା , ମହିଳା ଥାନା ପ୍ରତିଷ୍ଠା କରିବାକୁ ଦାବୀ କରିଥିଲେ । ତତ୍ ସହିତ ସହରର ପ୍ରବେଶ ପଥରେ ସିସି ଟିଭି କ୍ୟାମେରା , ନାରୀ ମାନଙ୍କୁ ସୁରକ୍ଷା , ଜିଲ୍ଲାରେ ମଦର ପ୍ରାର୍ଦୁଭାବକୁ ବନ୍ଦ କରିବା ପ୍ରଭୃତି ଦାବୀ କରିଥିଲେ । ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସସ୍ମିତା ବେହେରା,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ,ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଉତ୍ତମ ପ୍ରସାଦ ସାହୁ,ଛାତ୍ର କଂଗ୍ରେସ ନେତା ଶିବାନୀ ଗୌଡ ପ୍ରମୁଖ ଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । 
Spread the love