ନୋଟିସକୁ ନେଇ ପ୍ରଶ୍ନ କଲେ ଅପରାଜିତା: କିଏ କ୍ଷମା ମାଗିବା ଦରକାର?

ଭୁବନେଶ୍ୱର: କିଛିଦିନ ତଳେ ଡେରାସରେ କେନାଲକୁ ନେଇ କିରୁଥିକା ପ୍ରଭାକରନଙ୍କୁ ଟାର୍ଗେଟ କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ବର୍ଷିଛନ୍ତି | କିରୁଥିକା ପ୍ରଭାକରନଙ୍କ ଓକିଲଙ୍କ ପକ୍ଷରୁ ମିଳିଥିବା ଲିଗାଲ ନୋଟିସର ଜବାବ ଦେଇ ଅପରାଜିତା କହିଛନ୍ତି ଯେ କ୍ଷମା କିଏ ମାଗିବା ଦରକାର? ଅପରାଜିତା କହିଛନ୍ତି ଯେ, ‘ମୁଁ ବିଗତ ଦିନରେ ବହୁ ସଂଖ୍ୟାରେ ଚାଷୀ ଏବଂ ବିଭିନ୍ନ ବ୍ୟକ୍ତିଗତ ଲୋକ ଏବଂ ଜନସାଧାରଣଙ୍କ ଏକାଧିକ ଲିଖିତ ଅନୁରୋଧ ପରେ ବିଭିନ୍ନ ଅନୁସନ୍ଧାନ ଏବଂ ପରିଦର୍ଶନ କରି ତଥ୍ୟ ଏବଂ ତର୍କ ସହ ଦୁଇଟି ବିଷୟ ଉପସ୍ଥାପନା କରିଥିଲି | ଚନ୍ଦକାଠାରେ ବେଆଇନ ଘେରାବନ୍ଦୀ ଏବଂ ଅବରୋଧ କରି ସରକାରୀ ଡେରାସ କେନାଲ କିରୁଥିକା ପ୍ରଭାକରନଙ୍କ ଦ୍ୱାରା ପୋତିଦିଆଯିଵା ଦ୍ୱାରା ୩୦୦ ଏକର ଚାଷଜମି ବିଗତ ଦୁଇ ବର୍ଷ ଧରି ଜଳସେଚନ ହୋଇପାରୁନାହିଁ l ଯାହାଦ୍ୱାରା ଦୁଇବର୍ଷ ହେଲା ଚାଷ ହୋଇ ପାରୁନାହିଁ l ଏହି କେନାଲ ସରକାରୀ ଜମିରେ ନିର୍ମିତ ହୋଇଛି ଯାହାର ଜବରଦଖଲ ସମ୍ପୂର୍ଣ୍ଣ ଭାବେ ବେଆଇନ |

୧୫୦ ଏକର ପରିମିତ ଅଞ୍ଚଳ ଯେଉଁଥିରେ କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଏବଂ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଅଛି l ଯାହାକୁ ମୁକ୍ତ କରିଵା ଦରକାର ଏବଂ ଯାହାର ଜମି ତାକୁ ଆଇନଗତ ଅଧିକାର ମିଳିବା ଦରକାର | ସେଠାର ସମସ୍ତ ଲୋକଙ୍କୁ “ପାଣ୍ଡିଆନ ପ୍ରକଳ୍ପ” କହି ସରକାରଙ୍କ ଭୟ ଦେଖାଇ ଏଭଳି କାର୍ଯ୍ୟ ହେଉଥିବା ସମସ୍ତେ ଅତ୍ୟନ୍ତ ନିର୍ଭିକ ଏବଂ ସ୍ପଷ୍ଟ ଭାବେ କହୁଛନ୍ତି | ଏହି ପରିପ୍ରେକ୍ଷୀରେ ଶ୍ରୀମତୀ କିରୁଥିକା ପ୍ରଭାକରନ ଓକିଲ ନୋଟିସ ମାଧ୍ୟମରେ ମୋତେ ସାର୍ବଜନୀନ ଭାବେ କ୍ଷମା ମାଗିବା ପାଇଁ କହିଛନ୍ତି l ସଂସଦୀୟ କ୍ଷେତ୍ରର ଜନସାଧାରଣ ଏବଂ ଓଡିଶାବାସୀ କୁହନ୍ତୁ କିଏ କ୍ଷମା ମାଗିବା ଦରକାର? କିରୁଥିକା ପ୍ରଭାକରନ, ଯିଏ ଗରିବ ଚାଷୀ ମାନଙ୍କ ୩୦୦ ଏକର ଜମିକୁ ଦୁଇ ବର୍ଷ ହେବ ଜଳ ସେଚନ ଅଟକାଇଛନ୍ତି ନା ମୁଁ ? ଏହା କେବଳ ଏକ ଉଦାହରଣ l ଓଡିଶା ରାଜ୍ୟର ବିଭିନ୍ନ ଜାଗାରେ ଏହି ପ୍ରଭାବଶାଳୀ ମହିଳାଙ୍କ ଦ୍ୱାରା ଏଭଳି ବହୁ ଘଟଣା ଇତି ମଧ୍ୟରେ ସାମ୍ନାକୁ ଆସୁଛି ଏହି ସମସ୍ତ ବିଷୟ ପାଇଁ କିଏ କ୍ଷମା ମାଗିବା ଦରକାର କିରୁଥିକା ପ୍ରଭାକରନ ନା ମୁଁ ?

Spread the love