ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ଅପରାଜିତା

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ। ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ। ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ ଏକ ଟୁଇଟ କରି କହିଛନ୍ତି ଯେ, ଆଜି ଭୁବନେଶ୍ବର ପାଇଁ ଏହା ଏକ ବଡ ଦିନ। ଏହି ଉତ୍ସବକୁ ବହୁ ମନ୍ତ୍ରୀ ବିଧାୟକ ଏବଂ ଅଫିସରଙ୍କୁ ଡକାଯାଇଛି। ହେଲେ ମୋତେ ଡକାଯାଇ ନାହିଁ। ଏପରି ଏକ ବଡ ଦିନରେ ମୋତେ ଡକାଯାଉ, ମୁଁ ଯୋଗ ଦେବି ବୋଲି ଅପରାଜିତା କହିଛନ୍ତି।

ଏହି ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକ, ନୂଆ ମେୟର ଏବଂ ଅନ୍ୟ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୮ ଜଣ ଅତିଥୀଙ୍କୁ ଡକାଯାଇଛି। ସେହିପରି ଏହି ଉତ୍ସବରେ ୭ ଜଣ ଆଇଏସ ଅଧିକାରୀ ମଧ୍ୟ ଯୋଗ ଦେଉଛନ୍ତି। ଏପରି କ୍ଷେତ୍ରରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ରାଜଧାନୀ ପ୍ରତିଷ୍ଠା ଉତ୍ସବ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ସକାଳେ ବିଧାନସଭା ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଛି। ସେଥିରେ ୧୬ ଜଣ ଅତିଥି ଯୋଗ ଦେଉଛନ୍ତି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଉଛି। ସେଥିରେ ମଧ୍ୟ ୧୨ ଜଣ ଅତିଥି ଯୋଗ ଦେଉଛନ୍ତି। ହେଲେ ସେଥିରେ ଅପରାଜିତାଙ୍କ ନାମ ନାହିଁ।

ତେବେ ଅପରାଜିତା ଏହି ଟୁଇଟ କରି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଟ୍ୟାଗ କରି ନାହାଁନ୍ତି। ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି.

Spread the love