ରାଜ୍ୟ ସରକାର ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାନ୍ତୁ : ବିଜେପି

2019 ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା ରାଜନିତୀ ସେତିକି ସରଗରମ ହେବାରେ ଲାଗିଛି । ରାଜ୍ୟସରକାର ମହିଳାମାନଙ୍କୁ ନେଇ କେବଳ ଭୋଟ ବ୍ୟାଙ୍କ ପଲିଟିକ୍ସ କରୁଛି ବୋଲି ବିଜେପି  ଅଭିଯୋଗ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ ମହିଳାମାନଙ୍କୁ କିପରି ଆର୍ଥିକ ସ୍ୱାବଲମ୍ବି କରାଯିବ ତାହା ସରକାର  କରୁନାହାନ୍ତି । କେବଳ ନିର୍ବାଚନ ଲକ୍ଷରେ ମହିଳାମାନଙ୍କୁ ବିଭିନ୍ନ ଭାବରେ ଭ୍ରମିତ କରୁଛନ୍ତି ।

ଆହୁରି ମଧ୍ୟ କୁହାଯାଇଛି ଯେ ଦେଶରେ ମହିଳା ବିରୋଧୀ ହିଂସାରେ ଓଡିଶା ଦେଶର ସବୁଠାରୁ ଉଦବେଗଜନକ  ସ୍ଥିତିରେ ରହିଛି । ଏକ ସାମ୍ବାଦିକ ସମ୍ମିଳନୀରେ  ବିଜେପିର ବରିଷ୍ଠ ନେତ୍ରୀ ଅପରଜିତା ଷଡଙ୍ଗୀ କହିଛନ୍ତି ଓଡିଶାରେ 4କୋଟି 19ଲକ୍ଷ ଜନସଂଖ୍ୟାରୁ 50 ପ୍ରତିଶତ ହେଉଛନ୍ତି ମହିଳା । ହେଲେ ଓଡିଶାରେ ମହିଳାମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତ୍ତି ପାଇଁ ସରକାର ଯେଉଁଭଳି ଭାବରେ ଧ୍ୟାନ ଦେବାକଥା ସେପରି ଦେଇପାରିନାହାନ୍ତି । ମହିଳାମାନଙ୍କୁ କେବଳ ନିର୍ବାଚନ ଜିତିବା ପାଇଁ ବ୍ୟବହାର କରିଛନ୍ତି । ମହିଳାମାନଙ୍କ ଆର୍ଥିକ ପ୍ରଗତି ହେଉ କିମ୍ବା ମହିଳାମାନଙ୍କ ସ୍ୱାସ୍ଥ୍ୟ ବା ପରିମଳ ସବୁଥିରେ ଓଡିଶା ପଛରେ ରହିଛି ।

ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ମହିଳାଙ୍କୁ ପଇସା ବାଣ୍ଟିବାକୁ ଯାଉଛନ୍ତି। ପ୍ରତି ଏସ୍‌ଏଚ୍‌ଜିକୁ ସରକାର 3 ବର୍ଷରେ 15ହଜାର ଟଙ୍କା ଦେବେ। ପ୍ରତି ଏସ୍‌ଏଚ୍‌ଜିରେ 10ରୁ 15ଜଣ ମହିଳା ସଦସ୍ୟ ଅଛନ୍ତି। ତା’ହେଲେ ମୁଣ୍ଡ ପିଛା 1000 ଟଙ୍କା ପ୍ରତି ମହିଳାଙ୍କୁ ମିଳିବ। 3 ବର୍ଷରେ ଜଣେ ମହିଳାଙ୍କୁ 1000 ଟଙ୍କା ମିଳିଲେ ତା’ର କ’ଣ ଅର୍ଥନୈତିକ ବିକାଶ ହେବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବନ କରାଯିବା ଦରକାର। ମହିଳା ଓ ଶିଶୁ ବିକାଶ ବିଭାଗର ବଜେଟ୍‌କୁ ଦେଖିଲେ ଲାଗୁଛି ଯେ ରାଜ୍ୟ ସରକାର ଏସ୍‌ଏଚ୍‌ଜିଙ୍କ ବିକାଶ ପାଇଁ ଆଦୌ ଯତ୍ନବାନ ନୁହନ୍ତି। ମହିଳା ସଶକ୍ତିକରଣ ଯୋଜନାରେ 2016-17, 2017-18ରେ କୌଣସି ଅର୍ଥ ରାଶି ବ୍ୟୟବରାଦ ନ ଥିଲା ବେଳେ 2018-19ରେ ଏଥିରେ 550କୋଟି ଟଙ୍କା ରଖାଯାଇଛି। ସେହିପରି ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ଯୋଜନାରେ 2016-17୭ ଓ 2017-18ରେ କୌଣସି ଅର୍ଥରାଶି ବ୍ୟୟବରାଦ ନ ଥିଲା ବେଳେ 2018-19ରେ 500 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ ସ୍ପଷ୍ଟ ହେଉଛି ଯେ କେବଳ ନିର୍ବାଚନକୁ ଆଖି ଆଗରେ ନିର୍ବାଚନ ବର୍ଷରେ ଏପରି ବ୍ୟୟ କରାଯାଉଛି।

ଶ୍ରୀମତୀ ଷଡ଼ଙ୍ଗୀ ଆହୁରି ଅଭିଯୋଗ କରିଛନ୍ତି, ଓଡ଼ିଶାରେ ଏବେ ସୁଦ୍ଧା ମିଳିଥିବା ଆର୍ଥିକ ସହାୟତା ଅନ୍ୟ ରାଜ୍ୟ ଠାରୁ କମ୍। ଆନ୍ଧ୍ରପ୍ରଦେଶରେ ପ୍ରତି ଏସ୍‌ଏଚ୍‌ଜିକୁ 62ହଜାର ଟଙ୍କା ମିଳିଥିଲା ବେଳେ ଓଡ଼ିଶାରେ ଏହା ମାତ୍ର 14541 ଟଙ୍କା। ସେହିପରି ଓଡ଼ିଶାରେ 6 ଲକ୍ଷ ଏସ୍‌ଏଚ୍‌ଜି ଥିଲା ବେଳେ ଏବେ ମାତ୍ର 72 ହଜାର ଏସ୍‌ଏଚ୍‌ଜିକୁ ଋଣ ମିଳିଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଉପସ୍ଥିତ ଥିଲେ।

 

Spread the love