ଚାଇନାରୁ ଉତ୍ପାଦନ ସ୍ଥାନାନ୍ତର କରିପାରେ Apple

ନୂଆଦିଲ୍ଳୀ, ୪/୧୨: କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଇନାରେ ଲଗାଯାଇଥିବା କଠୋର କଟକଣାର ବିରୋଧ ଜାରି ରହିଛି। ପ୍ରତିବନ୍ଧକ ଯୋଗୁଁ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଟେକ୍ କମ୍ପାନୀ Apple ଏହାର ଉତ୍ପାଦନକୁ ଚାଇନାରେ ବନ୍ଦ କରିବାକୁ ନିଷ୍ପତ୍ତି କରିଛି। ଖାସ୍‌କରି ଚାଇନାର ଜେଙ୍ଗଝୁ ’ଆଇଫୋନ୍ ସିଟି’ ପ୍ଳାଣ୍ଟରେ ଏହାର ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏହାର ଏହି ପ୍ଳାଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। କୁହାଯାଉଛି କମ୍ପାନୀ ଏହାର ଉତ୍ପାଦନ ପ୍ଲାଣ୍ଟକୁ ଭାରତ ଏବଂ ଭିଏତନାମକୁ ସ୍ଥାନାନ୍ତର କରିପାରେ। ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହର ତାଇଓ୍ବାନିଜ୍ ଫକ୍ସକନ୍ ଟେକ୍ନୋଲୋଜୀ ଉପରେ ଥିବା ଏହାର ନିର୍ଭରଶୀଳତାକୁ ମଧ୍ୟ କମାଇବାକୁ ଯୋଜନା କରୁଛି। କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ପ୍ରାୟ ୩ ଲକ୍ଷ କର୍ମଚାରୀ କାମ କରୁଛନ୍ତି ଫକ୍ସକନ୍ ର ଏହି କମ୍ପାନୀରେ ଆଇଫୋନ୍ ଏବଂ ଅନ୍ୟ ଆପଲ ପ୍ରଡକ୍ଟ ତିଆରି କରାଯାଇଥାଏ। ଏକ  ରିପୋର୍ଟ ଅନୁଯାୟୀ, ଏଠାରେ ପ୍ରାୟ ୮୫ ପ୍ରତିଶତ ଆଇଫୋନ୍ ପ୍ରସ୍ତୁତ କରାଯାଇଥାଏ।

ଗତ ନଭେମ୍ବରରେ ଜେଙ୍ଗଝୁ ସହରରେ ଥିବା ଫକ୍ସକନର ଏହି ବଡ଼ ଆଇଫୋନ୍ ନିର୍ମାଣ ପ୍ଲାଣ୍ଟରେ ବିରୋଧ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର ହୋଇଥିଲା ଯେଉଁଥିରେ କର୍ମଚାରୀମାନେ ଦରମା ଏବଂ ସେଠିକାର ପରିସ୍ଥିତିକୁ ନେଇ ପ୍ରଦର୍ଶନ କରିବା ସହ ରାସ୍ତାକୁ ଓହ୍ଲାଇଥିଲେ । ଶହ ଶହ କର୍ମଚାରୀ ଅଭିଯୋଗ କରିଥିଲେ ଯେ ଶ୍ରମିକଙ୍କ ଠିକ୍ ଭାବରେ ଦରମା ଦିଆଯାଉନାହିଁ ଏବଂ କଠୋର ସଂକ୍ରମଣ ନିୟମ ପାଳନ କରାଯାଉଛି। ଏହି ସମୟରେ ଅନେକ ବିକ୍ଷୋଭକାରୀ ସିସିଟିଭି ଭାଙ୍ଗୁଥିବାର ନଜର ଆସିଥିଲେ। ଏହାକୁ ନେଇ ପରେ ଫକ୍ସକନ୍ ତରଫରୁ ଏକ ବିବୃତ୍ତି ଜରିଆରେ ଦୁଃଖ ପ୍ରକାଶ କରାଯାଇଥିଲା।

ନିକଟରେ ଆପଲ୍ ତରଫରୁ ଆଇଫୋନ୍ ୧୪ ପ୍ରୋ ମଡେଲ ଗୁଡ଼ିକର ଯୋଗାଣରେ ବିଳମ୍ବ ହେଉଥିବା ନେଇ କୁହାଯାଇଥିଲା। କମ୍ପାନୀ ତରଫରୁ କୁହାଯାଇଥିଲା ଯେ କୋଭିଡ୍ ୧୯ କଟକଣା  କାରଣରୁ ଯୋଗାଣରେ ବାଧା ଉପୁଜିଛି। ବର୍ତ୍ତମାନ କମ୍ପାନୀରେ ଅଳ୍ପସଂଖ୍ୟକ କର୍ମଚାରୀରେ କାମ କରୁଛନ୍ତି।

Spread the love