ଆରାବଳୀକୁ କେହି ଛୁଇଁ ପାରିବେ ନାର୍ହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ହରିୟାଣାର ପ୍ରସ୍ତାବିତ ‘ଆରବଳୀ ଜଙ୍ଗଲ ସଫାରୀ’ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭିଏମ୍ ପାଞ୍ଚୋଲୀଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୋର୍ଟଙ୍କ ବିନା ଅନୁମତିରେ ଆରାବଳୀ ପର୍ବତମାଳାର ଗୋଟିଏ ଇଞ୍ଚ୍ ଜମିକୁ ମଧ୍ୟ କେହି ଛୁଇଁ ପାରିବେ ନାହିଁ । ହରିୟାଣା ସରକାରଙ୍କ ଆବେଦନ କ୍ରମେ ସଫାରୀ ପ୍ରକଳ୍ପର ଆକାର ୧୦,୦୦୦ ଏକରରୁ କମାଇ ୩,୩୦୦ ଏକର କରିଥିଲେ ଓ ସଂଶୋଧିତ ରିପୋର୍ଟ (ଡିପିଆର୍)କୁ କେନ୍ଦ୍ରୀୟ କ୍ଷମତା କମିଟି (ସିଇସି) ଦ୍ୱାରା ଯାଞ୍ଚ୍ କରାଇବାକୁ ଅନୁମତି ମାଗିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଅବେଦନକୁ ଖାରଜ କରିଦେଇଛନ୍ତି । ସିଜେଆଇ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆରାବଳୀ ପର୍ବତମାଳାର ସଠିକ କରିଭାଷା ଓ ସୀମା ନିର୍ଦ୍ଧାରଣ ହୋଇନାହିଁ, ସେ ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ହେବ ନାହିଁ । କୋର୍ଟ କହିଛନ୍ତି ଯେ, ଆରାବଳୀ କେବଳ ହରିୟାଣା କିମ୍ବା ରାଜସ୍ଥାନର ନୁହେଁ, ଏହା ଏକ ବିଶାଳ ପର୍ବତାମାଳା । ଏହାର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ଏକ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରାଯିବ । ଆମେ ଏହି ପ୍ରକଳ୍ପ ପାଇଁ ଗୋଟିଏ ଇଞ୍ଚ୍ ଜମିର ଅନୁଦାନ ଦେବୁ ନାହିଁ । ଆରାବଳୀର ସୁରକ୍ଷା ପାଇଁ ଆମେ ସମ୍ପୂର୍ଣ୍ଣ ଦୃଢ଼ । ଏକ ନିରପେକ୍ଷ ଏଜେନ୍ସିର ରିପୋର୍ଟ ଆସିବା ପରେ ହିଁ କୌଣସି ନିଷ୍ପତ୍ତି ନିଆଯାଇପାରିବ ବୋଲି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି । ସୂଚନାଯୋଗ୍ୟ ଯେ, ୫ ଜଣ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ଏବଂ ‘ପିପୁଲ ଫର ଆରାବଳୀ’ ନାମକ ସଂସ୍ଥା ଏହି ସଫାରୀ ପ୍ରକଳ୍ପ ବିରୋଧରେ ଆବେଦନ କରିଥିଲେ । ସେମାନଙ୍କ ଅନୁଯାୟୀ, ଏହି ପ୍ରକଳ୍ପ ଦ୍ୱାରା ଆରାବଳୀର ପରିବେଶ ସନ୍ତୁଳନ ନଷ୍ଟ ହୋଇଯିବ । ପାହାଡ଼ର ଉଚ୍ଚତାକୁ ନେଇ ସରକାର ଦେଇଥିବା ନୂତନ ପରିଭାଷା ଯୋଗୁଁ ଖଣି ମାଫିଆମାନଙ୍କୁ ସୁଯୋଗ ମିଳିପାରେ ।
