କାନ୍ଦୁଛି ଆରାବଳୀ;ତେଜୁଛି ଆନ୍ଦୋଳନ ୮ ହଜାର ସ୍ଥାନରେ ଖଣି ଖନନ ଅନୁମତି

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଭାରତର ପର୍ବତମାଳା ଆରାବଳୀ ଏବେ କାନ୍ଦୁଛି। ମରୁଭୂମି, ଲୁ ଏବଂ ଧୂଳି ଝଡ଼କୁ ଧାରଣ କରି ଦିଲ୍ଲୀ, ହରିୟାଣା, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶକୁ ସୁରକ୍ଷା ଦେଉଥିବା ଏବଂ ରାଜସ୍ଥାନର ଉର୍ବର କ୍ଷେତ ପାଇଁ ସୁରକ୍ଷା ପ୍ରାଚୀର ହୋଇ ରହିଥିବା ଆରାବଳୀ ଏବେ ବିପଦରେ। ଭୂତଳ ଜଳ ସଂରକ୍ଷଣ ସହିତ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଆଶ୍ରୟ ଦେଇ ଲୋକଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରୁଥିବା ଆରାବଳୀର ଭବିଷ୍ୟତକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁଜରାଟ ଦେଇ ରାଜସ୍ଥାନ ଏବଂ ହରିୟାଣାରୁ ଦିଲ୍ଲୀ ୬୯୦ କିମି ପର୍ଯ୍ୟନ୍ତ ବ୍ୟାପିଥିବା ଏହି ପୁରାତନ ପର୍ବତମାଳା ଖଣି ଖନନ ପାଇଁ ସଙ୍କଟରେ ପଡ଼ିଛି। ସୁପ୍ରିମକୋର୍ଟ ଦେଇଥିବା ରାୟ ଯୋଗୁଁ କୋଟି କୋଟି ଜନତା, ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବାବେଳେ ଖଣି ଖନନକାରୀ ଏବଂ ସରକାର ଅଟହାସ୍ୟ କରୁଛନ୍ତି। କାରଣ ସର୍ବୋଚ୍ଚ ନ୍ୟାୟାଳୟ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ପାହାଡ଼କୁ କେବଳ ଆରାବଳୀ ମାନିବାକୁ ରାୟ ଦେଇଥିଲେ। ଅନ୍ୟ ଛୋଟ ଛୋଟ ପାହାଡ଼କୁ ଆରାବଳୀ ମାନିବାକୁ ମନା କରିଦେଇଥିଲେ। ଏହା ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖଣି ଖନନ ପାଇଁ ନିୟମ ପ୍ରସ୍ତୁତ କରିବାକୁ କହିଥିଲେ। ଏହା ଦ୍ବାରା ୯୦ ପ୍ରତିଶତ ଆରାବଳୀ ଧ୍ବଂସ ହୋଇଯିବାର ସମ୍ଭାବନା ରହିଛି।
ଜୈବ ବିବିଧତାକୁ ନଷ୍ଟ କରିବାକୁ ଅନୁମତି ଦେଉଥିବା ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଆନ୍ଦୋଳନ ଜୋରଦାର ହୋଇଛି। ସାମାଜିକ ଗଣମାଧ୍ୟମରୁ ନେଇ ସଡ଼କ ପର୍ଯ୍ୟନ୍ତ ଲୋକେ ଏକାଠି ହୋଇ ରାଜସ୍ଥାନ ସରକାରଙ୍କ ଆଭିମୁଖ୍ୟ, କେନ୍ଦ୍ରର ନିରବତା ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରୁଛନ୍ତି। ଆରାବଳୀରେ ଖଣି ଖନନ ମଞ୍ଜୁରିକୁ ବିରୋଧ କରି ଆଜି ରାଜସ୍ଥାନରେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। କଂଗ୍ରେସ ଏବଂ ସାମାଜିକ ସଂଗଠନ କର୍ମୀ ୯୪୫ ମିଟର ଉଚ୍ଚ ସିକରର ହର୍ଷ ପାହାଡ଼ ଉପରେ ଚଢ଼ି ବିକ୍ଷୋଭ କରିଛନ୍ତି। ରାଜସ୍ଥାନର ଫୁସଫୁସକୁ କାଟିବାକୁ ଅନୁମତି ଦିଆଯିବନି ବୋଲି କହିଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଛି। ଏହାକୁ ନେଇ ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି।

ଏବେ ଆରାବଳୀ ରାଜନୀତି, ଆଇନଗତ ଲଢ଼େଇ ଏବଂ ପରିବେଶ ସୁରକ୍ଷାର କେନ୍ଦ୍ର ପାଲଟି ଯାଇଛି। ଯଦି ଏହି ପର୍ବତମାଳାରେ ଖଣି ଖନନ ଆରମ୍ଭ ହୁଏ ତେବେ ସମଗ୍ର ଭାରତ ପାଇଁ ବିପଦ ବୋଲି ପରିବେଶବିତ କହିଛନ୍ତି। ସାରା ଦେଶକୁ ମୌସୁମୀ ବାୟୁ ଆସିବନି। ପ୍ରଦୂଷଣ ପାଇଁ ଦିଲ୍ଲୀ ବାସୀଙ୍କ ଦୁର୍ଦ୍ଦଶା ବଢ଼ିବ। ଥର୍‌ ମରୁଭୂମି କାୟା ବିସ୍ତାର କରିବ। ଉର୍ବର କ୍ଷେତକୁ ନିଜ ଭିତରେ ସମାହିତ କରିଦେବ। ଏପରି ହେଲେ ମାନବିକତା ପ୍ରତି ବଡ଼ ବିପଦ ସୃଷ୍ଟି ହେବ। ଆରାବଳୀ ପଶ୍ଚିମ ଏବଂ ଉତ୍ତରପଶ୍ଚିମ ଭାରତରେ ପରିବେଶ ଏବଂ ଜୀବନକୁ ସୁରକ୍ଷା ଦେଉଛି। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଅଲୱର ଭଳି ବଡ଼ ସହରକୁ ପାଣି ଯୋଗାଉଛି। ମାତ୍ର ଖଣି ଖନନ ହେଲେ ବିପୁଳ ଗଛ କଟାଯିବ। ଏହା ଭୂତଳ ଜଳସ୍ତର ହ୍ରାସ କରି ସଙ୍କଟ ସୃଷ୍ଟି କରିବ। ଅନେକ ଜୀବଜନ୍ତୁଙ୍କ ବଂଶ ଲୋପ ପାଇଯିବ। ଏହାକୁ ନେଇ ସାମାଜିକ କର୍ମୀ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ରାୟ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ (ଏଫଏସଆଇ) ୧୦ ହଜାର ପାହାଡ଼କୁ ଆରାବଳୀ କହିଥିଲା। ଏହି ସବୁ ସ୍ଥାନରୁ ଖଣି ଖନନ ବନ୍ଦ କରିବାକୁ କୁହାଯାଇଥିଲା। ମାତ୍ର ରାଜସ୍ଥାନର ବିଜେପି ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ଏହା ଦ୍ବାରା ସବୁ ଖଣି ଖନନ ବନ୍ଦ ହୋଇଯିବ ବୋଲି କୁହାଯାଇଥିଲା। ଏହା ଉପରେ ବିଚାର କରି ସୁପ୍ରିମକୋର୍ଟ ଶହେ ମିଟର କିମ୍ବା ତାଠାରୁ ଅଧିକ ଉଚ୍ଚ ପର୍ବତକୁ ଆରାବଳୀ ମାନିବାକୁ ରାୟ ଦେଇଥିଲେ। ଏହି ରାୟ ପରେ ପ୍ରାୟ ୮ ହଜାର ସ୍ଥାନରେ ଖଣି ଖନନ ପାଇଁ ଅନୁମତି ମିଳିଥିବା କୁହାଯାଇଛି। କମ୍ପାନୀ ଏବଂ ସରକାରୀ ଅଧିକାରୀଙ୍କ ସାଣ୍ଠଗାଣ୍ଠରେ ଉଚ୍ଚ ପାହାଡ଼କୁ ୬୦ ମିଟର କିମ୍ବା ୮୦ ମିଟର ଦେଖାଇ ଖନନ ଅନୁମତି ନିଆଯାଉଛି। ଏହାକୁ ନେଇ ରାଜସ୍ଥାନର ବିଭିନ୍ନ ସ୍ଥାନରେ ମାମଲା ମଧ୍ୟ ଚାଲିଛି। ଏବେ ସରକାରଙ୍କ ଏହି ଖଣି ନୀତିକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ବିରୋଧ କରିଛନ୍ତି।
ବିବାଦ ତେଜୁଥିବା ଦେଖି କେନ୍ଦ୍ର ସରକାର ମାମଲାରେ ସ୍ପଷ୍ଟୀକରଣ ଦେଇଛନ୍ତି। ଆରବଳୀ କ୍ଷେତ୍ରର ୯୦ ପ୍ରତିଶତ କ୍ଷେତ୍ରକୁ ସଂରକ୍ଷିତ କରାଯିବ ବୋଲି କୁହାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦ୍ବାରା ଖଣି କାର୍ଯ୍ୟକଳାପ ବୃଦ୍ଧି ପାଇବା ନେଇ କରାଯାଉଥିବା ଦାବିକୁ ଖାରଜ କରିଦିଆଯାଇଛି।

ଭାରତରେ ଚାଲିଛି ଭୂତ ସ୍କୁଲ
୫,୧୪୯ ସ୍କୁଲରେ ଶିକ୍ଷକ ଅଛନ୍ତି;ଛାତ୍ର ନାହାନ୍ତି
ଏଭଳି ବିଦ୍ୟାଳୟରେ ୧.୪୪ ଲକ୍ଷ ଶିକ୍ଷକ ନିଯୁକ୍ତ
୬୫,୦୫୪ ବିଦ୍ୟାଳୟରେ ଅଛନ୍ତି ୧୦ରୁ କମ୍‌ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ, ୨୨ା୧୨ (ଏଜେନ୍ସି): ଭାରତରେ ସରକାରୀ ଶିକ୍ଷା ବ୍ୟବସ୍ଥା କ୍ରମାଗତ ଭାବେ ଭୁଶୁଡ଼ିବାରେ ଲାଗିଛି। ଘରୋଇ ବିଦ୍ୟାଳୟ ବୋଝ ବଢ଼ାଉଥିବାବେଳେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ଏବଂ ପିଲାଙ୍କ ଆଭିମୁଖ୍ୟ ବଦଳିବା ପରିବର୍ତ୍ତେ ଦିନକୁ ଦିନ ତଳକୁ ତଳକୁ ଯାଉଛି। ଏଥିଯୋଗୁଁ ଭାରତରେ ଭୂତ ସ୍କୁଲ ସଂଖ୍ୟା ବଢ଼ିବାରେ ଲାଗିଛି। ଅନେକ ବିଦ୍ୟାଳୟରେ କୋଠା ଖାଲି ପଡ଼ିଛି, ସାଇନ ବୋର୍ଡ ଲାଗିଛି, ପାଣ୍ଠି ଆସୁଛି, ଶିକ୍ଷକ ନିଯୁକ୍ତି ହୋଇଛନ୍ତି, ମାତ୍ର ପଢ଼ିବାକୁ ଛାତ୍ରଛାତ୍ରୀ ନାହାନ୍ତି। କେବଳ କାଗଜ କଲମରେ ଏହି ସ୍କୁଲ୍‌ ଗୁଡ଼ିକ ଚାଲିଛି। ଶହେ କି ହଜାରେ ନୁହେଁ, ଭାରତର ୫,୧୪୯ ସରକାରୀ ବିଦ୍ୟାଳୟରେ ଏଭଳି ସ୍ଥିତି ରହିଛି। ଏହି ସବୁ ସ୍କୁଲ୍‌ରେ ଜଣେ ହେଲେ ବି ଛାତ୍ରଛାତ୍ରୀ ନାହାନ୍ତି। ସଂସଦରେ ସରକାର ଦେଇଥିବା ୨୦୨୪୦୨୫ ଶିକ୍ଷାବର୍ଷର ତଥ୍ୟରୁ ଏହି ଭୟାନକ ସୂଚନା ସାମ୍‌ନାକୁ ଆସିଛି। ଏହା ସରକାରୀ ଶିକ୍ଷା ପ୍ରତି ଲୋକଙ୍କ ଭରସାକୁ ଦର୍ଶାଉଛି।
ଏବେ ଭାରତରେ ୧୦.୧୩ ଲକ୍ଷ ସରକାରୀ ବିଦ୍ୟାଳୟ ରହିଛି। କିନ୍ତୁ ଏହି ଭୂତ ବିଦ୍ୟାଳୟ ସତର୍କ ସୂଚନା ଦେଉଛି। ସଂସଦରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ଛାତ୍ରଛାତ୍ରୀ ନ ଥିବା ବିଦ୍ୟାଳୟ ମଧ୍ୟରେ କେବଳ ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗରେ ୭୦ ପ୍ରତିଶତ ରହିଛି। ଶିଶୁ, ଶ୍ରେଣୀଗୃହ ଏବଂ ବ୍ୟବସ୍ଥାକୁ ନେଇ ଖରାପ ଚିନ୍ତାଧାରା ଥିବା ଅଞ୍ଚଳରେ ଏଭଳି ସ୍କୁଲ୍‌ ସଂଖ୍ୟା ଅଧିକ ରହିଛି। ତଥ୍ୟ ଅନୁଯାୟୀ, ୫,୧୪୯ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ନ ଥିବାବେଳେ ୬୫,୦୫୪ଟିରେ ୧୦ରୁ କମ୍‌ ପିଲା ଅଛନ୍ତି। ଏଭଳି ସ୍କୁଲ୍‌ ସଂଖ୍ୟା ୨୦୨୨-୨୩ରେ ୫୨,୩୦୯ ରହିଥିଲା। ମାତ୍ର ୨୦୨୪-୨୫ରେ ଏହା ୨୪ ପ୍ରତିଶତ ବୃଦ୍ଧି ପାଇଛି। କୌଣସି ଛାତ୍ରଛାତ୍ରୀ ନ ଥିବା ତଥା ଶୂନ ସଂଖ୍ୟା ହୋଇ ଆସୁଥିବା ବିଦ୍ୟାଳୟରେ ୧.୪୪ ଲକ୍ଷ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହା ପ୍ରଶାସନିକ ବିଫଳତାକୁ ଦେଖାଉଛି। ଯୋଜନା, ପରିଚାଳନା, ଶିକ୍ଷାର ମାନ ହ୍ରାସ ପାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
କିଛି ସ୍ଥାନରେ ସ୍କୁଲ୍‌ ଥିବାବେଳେ ପିଲା ଆସୁନାହାନ୍ତି। ଆଉ କିଛି ସ୍ଥାନରେ ଛାତ୍ରଛାତ୍ରୀ ଅଛନ୍ତି, ମାତ୍ର ସ୍କୁଲ୍‌ କୋଠା ନାହିଁ କିମ୍ବା ଦୁର୍ବଳ ରହିଛି। ଛାତ୍ରଛାତ୍ରୀ ନ ଥିବା ୫,୧୪୯ ବିଦ୍ୟାଳୟ ମଧ୍ୟରୁ ପଶ୍ଚିମବଙ୍ଗରେ ୩,୬୦୦ଟି ଏବଂ ତେଲଙ୍ଗାନାରେ ୩,୭୦୦ଟି ରହିଛି। ୧୦୦ ଜିଲ୍ଲାର ପ୍ରାୟ ୧୦ ସ୍କୁଲ୍‌ରେ କୌଣସି ପିଲା ନାହାନ୍ତି। ତେଲଙ୍ଗାନାର ସବୁ ୩୩ ଜିଲ୍ଲା ଏବଂ ପଶ୍ଚିମବଙ୍ଗର ୨୨ ଜିଲ୍ଲାରେ ଏଭଳି ସ୍ଥିତି ରହିଛି। ପଶ୍ଚିମବଙ୍ଗର ୬.୭୦୩ ସ୍କୁଲରେ ୧୦ କିମ୍ବା କୌଣସି ଛାତ୍ରଛାତ୍ରୀ ନାହାନ୍ତି। ଏ ସବୁରେ ୨୭, ୩୪୮ ଶିକ୍ଷକ ଅଛନ୍ତି। ଉତ୍ତର ପ୍ରଦେଶରେ ଶୂନ କିମ୍ବା ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ୍‌ରେ ୨୨,୧୬୬ ଶିକ୍ଷକ ଅଛନ୍ତି। ମହାରାଷ୍ଟ୍ର ଏଭଳି ସ୍କୁଲ୍‌ ସଂଖ୍ୟା ୬,୫୫୨ (୧୧,୦୫୬ ଶିକ୍ଷକ), ରାଜସ୍ଥାନରେ ୫,୨୩୫ ( ୧୧, ୬୨୦ ଶିକ୍ଷକ), ତେଲଙ୍ଗାନାରେ ୫,୦୨୧ (୪,୮୫୦ ଶିକ୍ଷକ), କେରଳରେ ୨୨୮, ଗୋଆରେ ୧୧୦, ଦିଲ୍ଲୀରେ ୧୧, ସିକିମରେ ୧୩୧ ଏବଂ ପଞ୍ଜାବରେ ୩୭୨ ବିଦ୍ୟାଳୟ ରହିଛି।

Spread the love