ମିଳିଲା ପ୍ରଥମ ଶତାବ୍ଦୀ ପୂର୍ବର ପ୍ରତ୍ନତାତ୍ତ୍ବିକ ସାମଗ୍ରୀ

ପୁରୀ : ହନ୍ତୁସରା ଗ୍ରାମରେ ପୋଖରୀ ଖୋଳିବା ବେଳେ ମିଳିଛି ପ୍ରତ୍ନତାତ୍ତ୍ବିକ ବସ୍ତୁ ସମୂହ। ଏହି ପ୍ରାଚୀନ ବସ୍ତୁର ଅବଶେଷ ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀ ପୂର୍ବର ଗୌରବମୟ ବୈଦେଶିକ ନୌବାଣିଜ୍ୟର ଗାଥା ବହନ କରୁଛି ବୋଲି ପ୍ରତ୍ନତତ୍ତ୍ବ ବିଶେଷଜ୍ଞମାନେ କହିଛନ୍ତି। କିଛିଦିନ ତଳେ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ହନ୍ତୁସରା ଗ୍ରାମର ଇତିହାସ ଅଧ୍ୟାପକ ଭାସ୍କର ମୁଦୁଲିଙ୍କ ବାରିରେ ପୋଖରୀ ଖନନ ସମୟରେ ପ୍ରତ୍ନତାତ୍ତ୍ବିକ ବସ୍ତୁଗୁଡ଼ିକ ଚିହ୍ନଟ କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ସହାୟକ ପ୍ରାଧ୍ୟାପକ ଡ.ଅନାମ ଚରଣ ବେହେରା ଏହି ସ୍ଥାନ ଓ ବସ୍ତୁକୁ ନିରୀକ୍ଷଣ କରି, ଏହି ପ୍ରତ୍ନତାତ୍ବିକ ବସ୍ତୁଗୁଡ଼ିକ ଓଡ଼ିଶା ଇତିହାସର ଅନେକ ଲୁକ୍କାୟିତ ଦିଗକୁ ଉନ୍ମୋଚନ କରିବାରେ ସହାୟକ ହେବ ବୋଲି କହିଛନ୍ତି।

ପୋଖରୀ ଖନନ ବେ‌ଳେ ନବ୍‌ଡ ଓୟାର, ମାଟି ନିର୍ମିତ ସାପ ଫଣା, ପଥର କଂସାର ଅବଶେଷ, ମାଟି ନିର୍ମିତ ବୋତଲ ଠିପି, ଚେସ୍‌ ଖେଳ ସହ ସମ୍ପୃକ୍ତ ଗୋଟି, କିଛି ପ୍ରାଚୀନ ଖପରାଖଣ୍ଡ ଓ ଭିନ୍ନ ଧରଣର ଗିନା ମିଳିଛି। ଡ.ବେହେରା କହିଛନ୍ତି, ଗୋପ ବ୍ଲକ୍‌ର ହନ୍ତୁସରା ଗ୍ରାମ ପଥରବୁହା ନାଳର ବାମପାର୍ଶ୍ବରେ ଅବସ୍ଥିତ। ଏହି ପଥରବୁହା ନାଳ ସହିତ କୋଣାର୍କ ମନ୍ଦିର ପ୍ରତିଷ୍ଠା ନେଇ ଅନେକ ଲୋକକଥା ଜଡ଼ିତ ଅଛି। ଏହି ନାଳରେ ଡଙ୍ଗା ମଧ୍ୟରେ ପଥର ଖଣ୍ଡଗୁଡ଼ିକୁ ଦୂରଦୂରାନ୍ତରରୁ ପରିବହନ କରାଯାଉଥିଲା। ହନ୍ତୁସରା ଗ୍ରାମରୁ ମିଳିଥିବା ପ୍ରତ୍ନତାତ୍ତ୍ବିକ ବସ୍ତୁ ଓ ପଥରବୁହା ନାଳର ଲୋକକଥା ଓଡ଼ିଶା ଇତିହାସର ଗୌରବମୟ ବୈଦେଶିକ ନୌବାଣିଜ୍ୟର ଗାଥା ବହନ କରୁଛି ବୋଲି ସେ କହିଛନ୍ତି।

ପୋଖରୀ ଖନନ ବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତ୍ନତତ୍ତ୍ବ ବିଭାଗର ପୂର୍ବତନ ଛାତ୍ର ଶୁଭଦର୍ଶନ ମହାପାତ୍ର ପ୍ରତ୍ନତାତ୍ତ୍ବିକ ବସ୍ତୁଗୁଡ଼ିକ ଦେଖି ଏ ସମ୍ପର୍କରେ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତ୍ନତତ୍ତ୍ବ ବିଭାଗକୁ ସୂଚନା ଦେଇଥିଲେ। ବିଭାଗୀୟ ସହାୟକ ପ୍ରଧ୍ୟାପକ ଡ.ବେହେରା ଘଟଣାସ୍ଥଳରେ ଅନୁଧ୍ୟାନ ସହ ପ୍ରାଚୀନ ବସ୍ତୁଗୁଡ଼ିକ ନିରୀକ୍ଷଣ କରିଥିଲେ। ଡ. ବେହେରା ନିରୀକ୍ଷଣ କରି କହିଛନ୍ତି, ମିଳିଥିବା ପ୍ରାଚୀନ ବସ୍ତୁ ସମୂହ ମଧ୍ୟରେ ନବ୍‌ଡ ଓୟାର ଏକ ବିଶେଷ ଧରଣର ମାଟିପାତ୍ର। ଏହି ମାଟିପାତ୍ରଗୁଡ଼ିକ ବିଶେଷକରି ଭାରତୀୟ ଉପମହାଦେଶ ଓ ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡ଼ିରେ ଦେଖିବାକୁ ମିଳେ। ଦକ୍ଷିଣପୂର୍ବ ଏସିଆର ଜାଭା, ବୋରବଦୁର, କମ୍ବୋଡ଼ିଆ, ବାଂଲାଦେଶର ୱାରି ବଟେଶ୍ବରୀ, ଭିଏତ୍‌ନାମ, ଥାଇଲାଣ୍ଡର ପ୍ରତ୍ନତାତ୍ତ୍ବିକ ସ୍ଥାନରେ ମଧ୍ୟ ଏହି ମାଟି ପାତ୍ର ଦେଖିବାକୁ ମିଳିଥାଏ।

ହନ୍ତସୁରା ଅଞ୍ଚଳରୁ ମିଳିଥିବା ଖପରାରେ ଯେଉଁ ଚିହ୍ନ ରହିଛି, ତାହା ଏବେ ବି ଥାଇଲାଣ୍ଡର ବୁଦ୍ଧ ଧର୍ମାବଲମ୍ବୀଙ୍କ ତମ୍ବା ପାତ୍ରରେ ଦେଖିବାକୁ ମିଳେ। ତେଣୁ ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀ ପୂର୍ବରୁ ହନ୍ତୁସରା ଓ ଆଖପାଖ ଅଞ୍ଚଳ ସହ ଦକ୍ଷିଣପୂର୍ବ ଏସିଆର ଦେଶ ସମୂହର ନୌବାଣିଜ୍ୟ ସମ୍ପର୍କ ଥିବାର ବଳିଷ୍ଠ ପ୍ରତ୍ନତାତ୍ତ୍ବିକ ପ୍ରମାଣ ଭାବେ ଏହାକୁ ଗ୍ରହଣ କରାଯାଇପାରେ ବୋଲି ସେ କହିଛନ୍ତି। ଡ.ବେହେରାଙ୍କ କହିବା ମୁତାବକ, କୋଣାର୍କ ସୂର୍ଯ୍ୟ ମନ୍ଦିରର ଜିରାଫ ଓ ଡଙ୍ଗା ଉପରେ ମାର୍ତଣ୍ଡ ଭୈରବ ମୂର୍ତ୍ତି ଏହି ଅଞ୍ଚଳରେ ପ୍ରଚଳିତ ଥିବା ନୌବାଣିଜ୍ୟ ପ୍ରଥାକୁ ସୂଚିତ କରୁଛି। ଆଫ୍ରିକା ମହାଦେଶରେ ଦେଖାଯାଉଥିବା ଜିରାଫକୁ ସୂର୍ଯ୍ୟମନ୍ଦିର ଗାତ୍ରରେ ଖୋଦିତ କରାଯାଇଥିବାରୁ ଏହି ଅଞ୍ଚଳ ସହ ଆଫ୍ରିକା ମହାଦେଶର ନୌବାଣିଜ୍ୟ ସମ୍ପର୍କ ପ୍ରଚଳିତ ଥିଲା ବୋଲି ସେ କହିଛନ୍ତି।

Spread the love