ଆଗକୁ ବଢୁଛି କଳାକାରଙ୍କ କଳି । ଅରିନ୍ଦମ ଓ ଅନୁଭବ ବନାମ ମନୋଜ ମିଶ୍ର
ଓଲିଉଡ ଷ୍ଟାରଙ୍କ ଭିତରେ କଳି ଆଜି ଆଉପାଦେ ଆଗେଇଛି । କାରଣ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅଭିନେତା ମନୋଜ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ ମହାନ୍ତି । ଗତକାଲି ୟୁସିସିସି ଆଗରେ ଯେଉଁ ଅଭିଯୋଗ ରଖିଥିଲେ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାଏ, ସେହି କଥାକୁ ଭିଡିଓରେ ଦୋହରାଇଛନ୍ତି ଅନୁଭବ । ରାମ ଫିଲ୍ମକୁ ସମ୍ବଲପୁରରେ ମନୋଜ ମିଶ୍ର ରିଲିଜ କରାଇ ଦେଉନଥିବା କହିଛନ୍ତି ଅନୁଭବ । ଅଭିନେତା ଅନୁଭବ ମହାନ୍ତି ଅରିନ୍ଦମଙ୍କ ସହ ସ୍ୱର ମିଳାଇବା ପରେ ଓଲିଉଡ କଳାକାରଙ୍କ କଳି ଆଗକୁ ବଢିଛି । ତେବେ ଏଭଳି ପରମ୍ପରା ଓଲିଉଡ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ରଖିଛନ୍ତି ଫିଲ୍ମ ସମୀକ୍ଷକ ।
କୁହାଯାଉଛି ଅଭିନେତା ଜିତୁ ମଙ୍ଗରାଜଙ୍କ ସହିତ ଶତ୍ରୁତା କାରଣରୁ ମନୋଜ ମିଶ୍ରଙ୍କ ସମର୍ଥକମାନେ ସମ୍ବଲପୁରରେ ଏହି ଫିଲ୍ମକୁ ହଲରେ ରିଲିଜ କରାଇ ଦେଇନାହାନ୍ତି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓରେ କିଛି ଲୋକ ରାମ ଫିଲ୍ମ ସହ ଜିତୁ ମଙ୍ଗରାଜଙ୍କୁ ବୟକଟ୍ କରିବା ପାଇଁ ପୋଷ୍ଟର ଧରିଥିବା ଦେଖିବାକୁ ମିଳୁଛି । ଏମାନଙ୍କୁ ମନୋଜଙ୍କ ସମର୍ଥକ କୁହାଯାଉଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ମିଶ୍ର । ସେ ଏକା ଚାହିଁଲେ ଗୋଟିଏ ଫିଲ୍ମକୁ ଅଟକାଇ ପାରିବେ ନାହିଁ ବୋଲି ସଫେଇ ରଖିଛନ୍ତି ।
ବଡକଥା ହେଉଛି ଏହାରି ଭିତରେ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ କରିସାରିଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ବାସନ୍ଦ ନିର୍ଦ୍ଦେଶକୁ ଅବମାନନା କରି ମନୋଜଙ୍କ ସହ ଫିଲ୍ମ ନିର୍ମାଣ କଲେ, ରାଜ୍ୟର କୌଣସି ହଲରେ ଫିଲ୍ମକୁ ରିଲିଜ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି ଉକ୍ରଳ ସିନେ ଚାମ୍ବର ଅଫ କମର୍ସ । ଏଭଳି ବାସନ୍ଦ କଟକଣାକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି ମନୋଜ ମିଶ୍ର । ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ସେମାନେ ସଂସ୍ଥାର ଲେଟର ପ୍ୟାଡରେ ଏହା ଲେଖିକରି ଦେବା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି ।