ମାଦକଦ୍ରବ୍ୟ ତଦନ୍ତ ମାମଲାରେ ‘ଏନ୍‌ସିବି’ରେ ହାଜର ହେବାକୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ମାଗିଲେ ଅର୍ଜୁନ ରାମପାଲ

ମାଦକଦ୍ରବ୍ୟ ତଦନ୍ତ ମାମଲାରେ ‘ଏନ୍‌ସିବି’ରେ ହାଜର ହେବାକୁ ଅର୍ଜୁନ ରାମପାଲ ଡିସେମ୍ବର ୨୧ ପର୍ଯ୍ୟନ୍ତ ସମୟ ଲୋଡ଼ିଛନ୍ତି। ଆଜି ହାଜର ହେବା ନିମନ୍ତେ ‘ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ ତାଙ୍କୁ ସମନ୍‌ ଦେଇଥିଲା।

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ତଦନ୍ତରେ ଚାଲିଥିବା ମାଦକଦ୍ରବ୍ୟ ତଦନ୍ତ ସଂକ୍ରାନ୍ତରେ ତାଙ୍କୁ ଦ୍ୱିତୀୟ ବାର ପଚରା ଉଚୁରା ପାଇଁ ଡକାଯାଇଥିଲା। କିନ୍ତୁ, ଅର୍ଜୁନ ଆଜି ‘ଏନ୍‌ସିବି’ରେ ହାଜର ହୋଇ ପାରି ନାହାନ୍ତି। ସେଥିପାଇଁ ସେ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛନ୍ତି।

ପୂର୍ବରୁ ନଭେମ୍ବର ୧୩ ତାରିଖରେ ‘ଏନ୍‌ସିବି’ ଅର୍ଜୁନଙ୍କୁ ପଚରା ଉଚୁରା କରିଥିଲା। ତାଙ୍କର ବାନ୍ଧବୀ ଗାବ୍ରିଏଲା ଡିମିଟ୍ରିଏଡ୍‌ସ୍‌ଙ୍କୁ ମଧ୍ୟ ‘ଏନ୍‌ସିବି’ ଅଧିକାରୀମାନେ ଦୁଇ ଦିନ ଧରି ପଚରାଉଚୁରା କରିଥିଲେ। ନଭେମ୍ବର ୧୦ ତାରିଖ ଦିନ ସେମାନଙ୍କ ଘରେ ଚଢ଼ାଉ କରିବା ପରେ ଉଭୟଙ୍କୁ ପଚରା ଉଚୁରା କରାଯାଇଥିଲା। ଅର୍ଜୁନଙ୍କ ଡ୍ରାଇଭର୍‌ଙ୍କୁ ମଧ୍ୟ ଗିରଫ କରାଯାଇ ପଚରା ଉଚୁରା କରାଯାଇଛି।

Spread the love