ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ଅନ୍ୟମାନଙ୍କୁ ଏହି ଆପ ସଂପର୍କରେ ଅବଗତ କରାଇବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

ଭୁବନେଶ୍ୱର : ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା  ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଓ ପ୍ରତାପ ଷଡଙ୍ଗୀ, ରାଜ୍ୟସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ  ସତ୍ୟ କୁମାରଙ୍କ ସମେତ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ ପ୍ରମୁଖ ଭିଡିଓ କନଫରେନ୍ସ ମାଧ୍ୟମରେ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ଲୋକପ୍ରିୟ କରାଇବା ପାଇଁ ଆଲୋଚନା କରିଥିଲେ । ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସାଧାରଣ ଜନତା କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ । ଅତ୍ୟାଧୁନିକ ବ୍ଲୁ ଟୁଥ ପ୍ରଯୁକ୍ତି, ଆଲଗୋରିଦିମ ଏବଂ ଆର୍ଟିଫିସିଆଲ  ଇଂଟେଲିଜେନ୍ସର ଉପଯୋଗ କରି ବ୍ୟବବହାରକାରୀଙ୍କ ସଂସ୍ପର୍ଶରେ ଆସୁଥିବା କରୋନା ସଂକ୍ରମିତ ଲୋକଙ୍କ  ସଂପର୍କରେ ଏହି ଆପ୍ ସୂଚନା ଦେବା ସହ ଆଖପାଖ ଅଂଚଳର କରୋନା ଆକ୍ରାନ୍ତଙ୍କ ତଥ୍ୟ ଜଣାପଡିବ । ଲୋକେସନ ଅନ କରି ଆପଣ କେଉଁ ସ୍ଥାନରେ ଅଛନ୍ତି ଏବଂ ସେହି ସ୍ଥାନ କେତେ ସୁରକ୍ଷିତ ଅଛି ସେ ସଂପର୍କରେ ମଧ୍ୟ ଏହି ଆପରୁ  ଜଣାପଡିବ । କରୋନା ଭାଇରସରୁ କିପରି ଆପଣ ସୁରକ୍ଷିତ ରହିପାରିବେ ସେନେଇ ମଧ୍ୟ ଏହି ଆପ୍ ପରାମର୍ଶ ଦେବ ା କରୋନା ଭୂତାଣୁକୁ ନେଇ କିଛି ସନ୍ଦେହ ଥିଲେ ଏହି ଆପ ମାଧ୍ୟମରେ ସାଧାରଣ ଜନତା ବିଷେଶଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପାରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତା ଏହି ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେସନକୁ ନିଜ  ମୋବାଇଲରେ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଏହି ଆପ୍ ସମ୍ବନ୍ଧରେ ଅବଗତ କରାଇ ସେମାନଙ୍କ ମୋବାଇଲରେ ବ୍ୟବହାର କରିବା ପାଇଁ ପ୍ରବର୍ତାଇବେ । ଏହି ଆପ୍ କୁ ସମଗ୍ର ରାଜ୍ୟବାସୀ ନିଜ ମୋବାଇଲ ଡାଉନଲୋଡ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଅନୁରୋଧ କରିଛନ୍ତି ।

Spread the love