ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୦୦୦ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା! ଡେରି ନକରି ଶୀଘ୍ର କରନ୍ତୁ ପଞ୍ଜିକରଣ

ଅକ୍ଟୋବର ୨୯ରୁ ଶ୍ରୀକ୍ଷେତ୍ର ପୁରୀରେ ମହାକାର୍ତ୍ତିକ ବ୍ରତ ଆରମ୍ଭ । ଏହି ବ୍ରତ ପାଳନ ନେଇ ମନ୍ଦିରରେ ପ୍ରବଳ ଗହଳ ଚହଳ ପରିଲକ୍ଷିତ ହେବ। ତେବେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ଗରିବ ହବିଷ୍ୟାଳି ମାନଙ୍କ ନିମନ୍ତେ ହବିଷ୍ୟାଳି ବ୍ରତ ପାଳନ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଅଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ରହିବ। ବ୍ରତ ପାଳନ ନେଇ ହବିଷ୍ୟାଳି ମାନଙ୍କର ସୁବିଧାର ବ୍ୟବସ୍ଥା ନେଇ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ କରାଯାଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏପଟେ ପବିତ୍ର ମହାକାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ରହି ରାଇଦାମୋଦର ବ୍ରତ ପାଳନ କରିବା ପାଇଁ ହଜାର ହଜାର ବ୍ରତ ଧାରୀଙ୍କ ଆଶା ରହିଥାଏ । କିନ୍ତୁ ଅର୍ଥ ଅଭାବରୁ ଅନେକ ଗରିବ ଶ୍ରେଣୀର ବୃଦ୍ଧା ମାନେ ପୁରୀରେ ରହି ଏହି ବ୍ରତ ପାଳନ କରିବା ତାଙ୍କ ପାଇଁ ସମ୍ଭବପର ହୋଇନଥିବାରୁ ରାଜ୍ୟସରକାର ହବିଷ୍ୟାଳି ମାନଙ୍କ ବ୍ରତ ଉଦ୍ୟେଶ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଯୋଜନା କରିଥିବା ଜଣାପଡିଛି।

ଗତ ବର୍ଷ ଭଳି ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରାଯିବା ସହ ହବିଷ୍ୟାଳି ମାନଙ୍କୁ ରଖିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୃନ୍ଦାବତୀ ସ୍ଥାୟୀ ଶିବିର ,ସମେତ ମୋଚିସାହି ଛକ, ବଗଲା ଧର୍ମଶାଳା ଆଦି ସ୍ଥାନରେ ହବିଷ୍ୟାଳି ଙ୍କ ରହିବା ବ୍ୟବସ୍ଥା ସହ ସେଠାରେ ପ୍ରତ୍ୟହ ମହାପ୍ରସାଦ ସେବନ ପାଇଁ ପଦକ୍ଷେପ ନିଆଯିବ।ଏ ନେଇ ଗତକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ୩୦୦୦ ଭିତରେ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଲକ୍ଷ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ ଓ ଅଫଳାଇନ ମାଧ୍ୟମରେ ପଞ୍ଜିକରଣ ନେଇ ସ୍ୱତନ୍ତ୍ର ଫର୍ମ ରହିଅଛି। ବିଶେଷ କରି ଅନଲାଇନ ମାଧ୍ୟମରେ ଘରେ ବସି ପରିଚୟ ପତ୍ର ପ୍ରଦାନ କରି ରେଜିଷ୍ଟ୍ରେସନ ହୋଇପାରିବ। ଅନ୍ୟଥା ସବୁ ଜିଲ୍ଲା ରେ ମଧ୍ୟ ଅଫଳାଇନ ମାଧ୍ୟମରେ ଆବେଦନ ଫର୍ମ ଦ୍ୱାରା ପଞ୍ଜିକରଣ ହୋଇପାରିବ। ପଞ୍ଜିକରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମାନଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି।

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉଁରା, ଆକାଶଦୀପ, ବ୍ରାହ୍ମଣ,ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପଟେ ମା’ ମାନଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯିବ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରରେ କିପରି ମହାପ୍ରସାଦ ପାଇବେ,  ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ତେବେ ଡେରି ନକରି ପୁରୀ ଆସିବାକୁ ଚାହୁଁଥିବା ହବିଷ୍ୟାଳୀମାନେ ଆଜିଠୁ ପଞ୍ଜିକରଣ କରିଦିଅନ୍ତୁ ।

Spread the love