ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ କୃତ୍ରିମ ବର୍ଷା କରାଯିବ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବାୟୁ ପ୍ରଦୂଷଣ ପୁଣି ସାଂଘାତିକ ସ୍ତରକୁ ଚାଲିଯାଇଥିବା ବେଳେ ପ୍ରଦୂଷଣ ରୋକିବାକୁ ବିଭିନ୍ନ କଟକଣା ଲାଗୁ ହୋଇଛି । ୧୮ ନଭେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା ହୋଇଛି । ଅନ୍ୟ ରାଜ୍ୟରୁ ଆସୁଥିବା କ୍ୟାବ୍‌ଗୁଡ଼ିକୁ ମଧ୍ୟ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏଭଳି ସ୍ଥିତିରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ୨୦ ନଭେମ୍ବରରୁ କୃତ୍ରିମ ବର୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇଆଇଟି କାନପୁର ଏ ସଂକ୍ରାନ୍ତ ଚୂଡ଼ାନ୍ତ ଯୋଜନା ଦିଲ୍ଲୀ ସରକାରଙ୍କୁ ଉପଲବ୍ଧ କରାଇଛି। ଆଇଆଇଟି ଅଧିକାରୀଙ୍କ ସହ ଦିଲ୍ଲୀ ସରକାର କୃତ୍ରିମ ବର୍ଷା ସଂକ୍ରାନ୍ତରେ ଗତକାଲି ଏକ ବୈଠକରେ ଆଲୋଚନା କରିଛନ୍ତି।

ଆସନ୍ତାକାଲି ଏ ବାବଦରେ ଦିଲ୍ଲୀ ସରକାର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇବେ। କୃତ୍ରିମ ବର୍ଷା ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଏୟାରକ୍ରାଫ୍‌ଟ ମାଧ୍ୟମରେ ଅକାଶରେ ସିଲ୍‌ଭର ଆୟୋଡାଇଡ ବୁଣି ଦିଆଯାଏ। ଏହି ସିଲ୍‌ଭର ଆୟୋଡାଇଡ ଆକାଶରେ ବାଦଲ ସଂପର୍କରେ ଆସିବା ମାତ୍ରେ ଦ୍ରୁତ ଗତିରେ ବର୍ଷା ସୃଷ୍ଟିକାରୀ ବାଦଲ ବଢ଼ିଯାଏ ଏବଂ ଏଥିଯୋଗୁଁ ବର୍ଷା ହୋଇଥାଏ। ବୈଜ୍ଞାନିକାନେ ଏହାକୁ କ୍ଲାଉଡ୍‌ ସିଡିଙ୍ଗ୍‌ ମଧ୍ୟ କହିଥାନ୍ତି। ଭାରତରେ ପ୍ରଥମ ଥର ପାଇଁ ଏହି କୃତ୍ରିମ ବର୍ଷା ପାଇଁ ଯୋଜନା କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଯଦି ୨୦-୨୧ ନଭେମ୍ବରରେ ଆକାଶରେ ମେଘ ରହିବ ଏବଂ ଏ ବାବଦ ଅନୁମୋଦନକୁ ମଂଜୁରି ମିଳିବ ତେବେ ବର୍ଷା କରାଯିବ।

Spread the love