ଓଡ଼ିଶା ପରିବେଶ କଂଗ୍ରେସ୍‌ରେ ସୋଆ ପକ୍ଷରୁ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଶନିବାର ଆୟୋଜିତ ଓଡ଼ିଶା ପରିବେଶ କଂଗ୍ରେସ୍ –୨୦୨୨ ଅବସରରେ ଚିତ୍ରଶିଳ୍ପୀ ସୁଧାକର ବିଶ୍ୱାଳଙ୍କୁ “ପରିବେଶ ଓ ବନ୍ୟପ୍ରାଣୀ” ପୁସ୍ତକ ଡିଜାଇନିଂ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ନ୍ୟାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲର  ଜୁଡିସିଆଲ୍ ମେମ୍ବର ଜଷ୍ଟିସ୍ ବି. ଅମିତ ସ୍ଥାଲେକର ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ଏନ୍‌ଜିଟିର ଏକ୍ସପର୍ଟ ମେମ୍ବର  ଶୈବାଳ ଦାସଗୁପ୍ତଙ୍କ ଠାରୁ ଶ୍ରୀ ବିଶ୍ୱାଳ ଏହି ସମ୍ମାନ ଓ ମାନପତ୍ର ଗ୍ରହଣ କରିଛନ୍ତି । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଶ୍ରୀ ବିଶ୍ୱାଳଙ୍କ ଡିଜାଇନ୍ ପ୍ରସ୍ତୁତିରେ ପ୍ରମୁଖ ଅଭୟାରଣ୍ୟ ଗୁଡ଼ିକର ସୂଚନା ପୁସ୍ତିକା, ପ୍ରଚାର ପତ୍ର, କଫି ଟେବୁଲ୍ ବୁକ୍ ଓ ସୋସିଆଲ୍ ମିଡିଆ ବିଜ୍ଞାପନ ପ୍ରକାଶ ପାଇଛି। ପ୍ରମୁଖ ପୁସ୍ତକମାନଙ୍କ ମଧ୍ୟରୁ ‘ସାତକୋଶିଆ-ଦି ସିନ୍ ଆଣ୍ଡ ଅନ୍‌ସିନ୍‌, ଚିଲିକା, ଭିତରକନିକା, କୁଲ୍‌ଡିହା, ମାମାଲ୍‌ସ ଅଫ୍ ଚନ୍ଦକା, ବାର୍ଡସ ଅଫ୍ ପୁରୀ ଓ ବାର୍ଡସ ଅଫ୍ କୁଲଡିହା ଉଲ୍ଲେଖଯୋଗ୍ୟ। ବନ୍ୟପ୍ରାଣୀ, ବନ୍ୟଜୀବନ ଓ ପ୍ରାକୃତିକ ଶୋଭା ସମ୍ପଦର ଦୃଶ୍ୟାବଳୀ ସଂଯୋଗ ଏହି ପୁସ୍ତକଗୁଡ଼ିକୁ ଜାତୀୟ ସ୍ତରର ମାନ୍ୟତା ଦିଏ। ଗ୍ରାଫିକକଳାରେ ଧୂରୀଣ ଏହି ଚିତ୍ରଶିଳ୍ପୀଙ୍କ ପକ୍ଷୀ ଓ ବନ୍ୟଜୀବଙ୍କ ରେଖାଚିତ୍ର ଓ ଅଳଂକରଣ ବହୁ ପ୍ରସାରିତ ।

Spread the love