“ଜେଟଲୀଜୀ ଥିଲେ ଅଜାତ ଶତ୍ରୁ “

ପୂର୍ବତନ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମରଣରେ ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ କରାଯାଇଛି । ଏହି ଅବସରରେ ମହାମହିମ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ସମସ୍ତ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଶୁଭେଚ୍ଛୁ, ସମର୍ଥକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଜେଟଲୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେତେ ଜଣ କୁହନ୍ତି ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ ଏବଂ କେତେଜଣ କୁହନ୍ତି ଶତ୍ରୁତା କାହିଁକି କରାଯାଉଛି । କିନ୍ତୁ ଅରୁଣ ଜେଟଲୀଜୀ ଥିଲେ ଅଜାତ ଶତ୍ରୁ । ଜେଟଲୀଜୀ ଜଣେ ସ୍ଥିର ବୁଦ୍ଧି, ଆତ୍ମ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ମୋର ପ୍ରିୟ ବନ୍ଧୁ ଥିଲେ । ସେ ଜଣେ ପରିତ୍ୟାଗି ବ୍ୟକ୍ତି ଭାବରେ ପରିଚିତ । ମୁଁ ଯେତେବେଳେ ପ୍ରଫେସର ଥିଲି ସେତେବେଳେ ସେ ବିଶ୍ୱବିଦ୍ୟାଳୟର ସଭାପତି ହୋଇଥିଲେ । ତାଙ୍କ ସହ ମିଶି ଭୋଜନ କରିବା ସ୍ମୃତିକୁ ମହାମହିମ ରାଜ୍ୟପାଳ ମନେପକାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

ସ୍ୱର୍ଗତଃ ଜେଟଲୀଜୀ ଓଡିଶାର ଜଣେ ବନ୍ଧୁ ଥିଲେ । ଓଡିଆ ଜାତି ଗୋଟିଏ ବୁଦ୍ଧିଜୀବୀ ଲୋକମାନଙ୍କର ଜାତି ବୋଲି ଶ୍ରୀ ଜେଟଲୀ ସବୁ ସମୟରେ କହୁଥିଲେ । ନବକଳେବର ସମୟରେ ସେ ଅର୍ଥର ବ୍ୟବସ୍ଥା କରିବା ସହ ନବକଳେବର ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ଅନୁମତି ଦେଇଥିଲେ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତିରେ ଖୋଦ୍ ଜେଟଲୀଜୀ ବଜେଟ ପାଇଁ ପାଇକ ବିଦ୍ରୋହର ସ୍ମୃତିରେ ଶଦ୍ଦ ସଂଯୋଜନା କରିଥିଲେ । ଓଡିଶାବାସୀ ଜଣେ ବନ୍ଧୁ ଏବଂ ଅଭିଭାବକକୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଭାରତର ରାଜନୀତି କ୍ଷେତ୍ରରେ ଗଣତନ୍ତ୍ର ରକ୍ଷା କରିବାରେ ସ୍ୱର୍ଗତଃ ଜେଟଲୀଜୀ ସୁପ୍ରିମକୋର୍ଟରେ ଜଣେ ଦକ୍ଷ ଆଇନଜୀବୀ  ଏବଂ ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ବେଶ ପ୍ରଭାବଶାଳୀ ଥିଲେ । ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ରାଜନୀତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ଦିଲ୍ଲୀରେ ଭେଟ ହେବା ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ କଥା ପଚାରି ବୁଝନ୍ତି । ଜେଟେଲୀଜୀ ଯେଉଁ ପ୍ରେରଣା ଭାରତୀୟ ଯୁବକମାନଙ୍କ ମନରେ ଦେଇଯାଇଛନ୍ତି ସେହି ରାସ୍ତାରେ ଚାଲିବାକୁ ସମସ୍ତେ ଚେଷ୍ଟା କରନ୍ତୁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । (ପୃ ଜଣେ ଛାତ୍ର ନେତା, ଅବିବକ୍ତା, ବିଚକ୍ଷଣ ଓକିଲ, କାର୍ଯ୍ୟକର୍ତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ହିସାବରେ ସ୍ୱର୍ଗତଃ ଜେଟଲୀଙ୍କ କାର୍ଯ୍ୟ କରିବାର ଶୈଳୀ ଅତୁଳୀନୀୟ ଥିଲା । ସାରା ଭାରତରେ ତାଙ୍କୁ ଲୋକମାନେ ଗ୍ରହଣ କରୁଥିଲେ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି । ସ୍ୱର୍ଗତଃ ଜେଟଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି । ସ୍ୱର୍ଗତଃ ଜେଟଲୀ ଜଣେ ବରିଷ୍ଠ ଆଇନଜୀବୀ ସହ ଦକ୍ଷ ରାଜନୀତିଜ୍ଞ ଥିଲେ । ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ । ଜିଏସଟି ଠୁ ନୋଟବନ୍ଦୀ ପର୍ଯ୍ୟନ୍ତ ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଜେଟଲୀଙ୍କ ବଡ ଭୂମିକା ରହିଥିଲା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଜେଟଲୀଜୀ ଜଣେ ବିଜ୍ଞ ଓ ସ୍ଥିତପ୍ରଜ୍ଞ ବ୍ୟକ୍ତି ଥିଲେ । ଦେଶର ସଙ୍କଟମୋଚକ ଭାବେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ବୋଲି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟବାହ ଶ୍ରୀ ଗୋପାଳ ମହାପାତ୍ର କହିଛନ୍ତି । ଭାରତୀୟ ରାଜନୀତିରେ ସ୍ୱର୍ଗତଃ ଜେଟଲୀଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଭାରତର ଆର୍ଥକ ବୃଦ୍ଧି, ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା ଏବଂ ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ ସଂର୍ପକ ବୃଦ୍ଧି କରିବାରେ ତାଙ୍କର ଅନେକ ଯୋଗଦାନ ରହିଥିଲା ବୋଲି ମାଣ୍ୟଗଣ୍ୟ ବ୍ୟକ୍ତି କହିଥିଲେ ।

ଏହି ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭାକୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ପରିଚାଳନା କରିଥିଲେ । ଏହି  ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ଖାରବେଳ ସ୍ୱାଇଁ, ଶ୍ରୀକାନ୍ତ ଜେନା, ସୌମ୍ୟରଂଜନ ପଟ୍ଟନାୟକ, ବିଜୟ ମହାପାତ୍ର, ସାଂସଦ ରଘୁନାଥ ମହାପାତ୍ର, ଅପରାଜିତ ଷଡଙ୍ଗୀ, ବିଶେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀଙ୍କ ସମେତ ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love