ଆଜି ପବିତ୍ର ଅଶୋକାଷ୍ଟମୀ

ଭୁବନେଶ୍ୱର ୦୯।୦୪: ଆଜି ପବିତ୍ର ଅଶୋକାଷ୍ଟମୀ । ଭକ୍ତ ଭଗବାନଙ୍କର ହେବ ଭେଟ । ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ । ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ରଥ ଟଣା ।

ଖବର ଅନୁଯାୟୀ, ଭୋରରୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇ ଯାଇଛି । ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୫ ଦିନ ଧରି ହେବାକୁଥିବା ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଏଥର ଭକ୍ତଙ୍କ ଗହଳିରେ ଗଡିବ ରୁକୁଣା ରଥ। ଦୀର୍ଘ ଦୁଇ ବର୍ଷ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି ।

ସେହିପରି ରଥ ଟଣା ବେଳେ ଭିଡ ଅଧିକ ହେବ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାକୁ ଅଗ୍ରାଧିକାର ଦିଆଯାଇଛି । ସେପଟେ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ଆଜି ଓ ୧୩ତାରିଖ ଦିନ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ୍ ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି।

Spread the love