ଏଏସ୍‌ଆଇ ହତ୍ୟା ଘଟଣା: ୨ ମାସରେ ପରିବାରକୁ ମିଳିବ ତଦନ୍ତ ରି‌ପୋର୍ଟ

ରାଉରକେଲା: ଉଦିତନଗର ଥାନା ଏଏସ୍‌ଆଇ ଏଲିଶ ନାରମି ଲୁଗୁନ୍‌ଙ୍କ ହତ୍ୟା ଘଟଣାକୁ ନେଇ ଗତକାଲିଠୁ ଲାଗିରହିଥିବା ଉତ୍ତେଜନା ଆଜି ଅପରାହ୍ନ ପ୍ରାୟ ୩ଟାରେ ଶାନ୍ତ ପଡ଼ିଥିଲା। ସ୍ବାମୀ ସଞ୍ଜୟ କୁମାର ଲାକ୍ରା ଓ ପରିବାର ଲୋକଙ୍କ ୫ ଦାବି ପୂରଣ କରିବାକୁ ଏସ୍‌ପି ମିତ୍ରଭାନୁ ମହାପାତ୍ର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରିବାର ଓ ସମ୍ପର୍କୀୟ ଲୋକ ରାସ୍ତାରୁ ହଟିଥିଲେ। ଶବ ବ୍ୟବଚ୍ଛେଦ ପରେ ସଂଧ୍ୟାରେ ରିଜର୍ଭ ଲାଇନ୍‌ରେ ଏଲିଶ ନାରମି ଲୁଗୁନଙ୍କୁ ତୋପ ସଲାମି ଦିଆଯାଇଥିଲା। ପରେ ପୁଲିସ ଏଲିଶ ନାରମି ଲୁଗୁନଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଅଲିଶ ନାରମିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏସ୍‌ପିଙ୍କ ଲିଖିତ ପ୍ରତିଶ୍ରୁତି ଅନୁଯାୟୀ ଗୋଷ୍ଠୀ ସଂଘର୍ଷ ସମୟରେ ମୃତ ଏଲିଶ ନାରମିଙ୍କ ସହ ଉପସ୍ଥିତ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯିବ। ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଏଲିଶ ନାରମିଙ୍କ ଦୁଇ ପିଲାଙ୍କୁ ଉତ୍ତମ ଶିକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଖର୍ଚ୍ଚ ବହନ କରିବେ। ଗତ ୧ ତାରିଖରେ ଉଦିତନଗର ଥାନାର ସିସିଟିଭି ଫୁଟେଜ୍‌ ପରିବାରକୁ ଦିଆଯିବ। ନିରକ୍ଷେପ ତଦନ୍ତ କରି ୬୦ ଦିନ (ଦୁଇମାସ) ମଧ୍ୟରେ ତଦନ୍ତ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ମୃତ ଏଲିଶ ନାରମିଙ୍କ ପୁଅକୁ ୧୮ ବର୍ଷ ହେବା ପରେ ସରକାରୀ ଚାକିରି ମିଳିବ। ଆଜି ସକାଳ ପ୍ରାୟ ୧୦ଟାରେ ଏଲିଶ ନାରମି ଲୁଗୁନ ଓ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ଆଦିବାସୀ ସଙ୍ଗଠନ, ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରିଥିଲା।

ଏଲିଶ ନାରମିଙ୍କ ପରିବାର ଓ ସମ୍ପର୍କୀୟ ଉଦିତନଗର ଥାନା ଆଗରେ ଧାରଣା ବସିବା ସହ ରାସ୍ତା ଅବରୋଧ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ପ୍ରାୟ ୧ଟା ପର୍ଯ୍ୟନ୍ତ ରିଂ ରୋଡରୁ ଉଦିତନଗର ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ବରିଷ୍ଠ ପୁଲିସ ଅଧିକାରୀ ମୃତ ଏଲିଶ ନାରମିଙ୍କ ସ୍ବାମୀ ସଞ୍ଜୟ, ଦିଅର ଓ ପରିବାର ଲୋକଙ୍କୁ ଧାରଣା ପ୍ରତ୍ୟାହୃତ କରିବାକୁ ବୁଝାସୁଝା କରିଥିଲେ। ଉତ୍ତେଜିତ ଲୋକ ରାସ୍ତାରୁ ହଟିଥିଲେ ହେଁ ଧାରଣା ଜାରି ରଖିଥିଲେ। ଯେ ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଏସ୍‌ପି ଆସି ନାହାନ୍ତି, ଉପରୋକ୍ତ ୫ଟି ଦାବି ପୂରଣ ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନଯାଇ ସେ ପର୍ଯ୍ୟସ୍ତ ଧାରଣାରୁ ହଟିବେ ନାହିଁ ଚେତାବନୀ ଦେଇଥିଲେ। ଶେଷରେ ବରିଷ୍ଠ ପୁଲିସ ଅଧିକାରୀ , ପରିବାର ଲୋକ ଓ ସମ୍ପର୍କୀୟଙ୍କ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦାବି ପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରାୟ ଘଣ୍ଟାଏ ଆଲୋଚନା ପରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ୫ଟି ଦାବିପୂରଣ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ରବିବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଉଦିତନଗର ଆର୍‌ଏମ୍‌ସି କାର୍ଯ୍ୟାଳୟ ନିକଟରେ ବସ୍‌- କାର୍‌ ଧକ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଖବର ପାଇ ପିସିଆର୍‌ ଭ୍ୟାନ୍‌ରେ ଏଏସ୍ଆଇ ଏଲିଶ ନାରମି ଲୁଗୁନ୍‌ଙ୍କ ନେତୃତ୍ବରେ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଏସ୍‌ଆଇ ଏଲିଶ ନାରମି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିଲେ।

ହଠାତ୍‌ ଜଣେ ମହିଳା ତାଙ୍କ ଏଲିଶଙ୍କ ହାତକୁ ଟଣା ଓଟରା କରିବାରୁ ସେ ତଳେ ବେହୋସ ହୋଇ ପଡିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତିବାଦରେ ପରିବାର ଓ ସମ୍ପର୍କୀୟ ଉଦିତନଗର ଥାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ମର୍ଗରୁ ଶବ ଉଠାଇ ନଥିଲେ। ପୁଲିସ ବିରଜାପାଲିର ଅମିତ ପାତ୍ର ଓ ଗୌରିରାଣୀ ବିଭାରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପେଟ ଏଲ୍‌ଶ ନାରମି ଓ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆସନ୍ତା ୫ରେ ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।

Spread the love