ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବାପାଇଁ ଗଠନ ହେବ ସ୍ୱତନ୍ତ୍ର ଶିକ୍ଷା ଜୋନ- ଧର୍ମେନ୍ଦ୍ର ପ୍ରଧାନ

ଗୌହ୍ୱାଟି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ସମଗ୍ର ଭାରତବର୍ଷରେ ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଏକ ସ୍ୱତନ୍ତ୍ର ଶିକ୍ଷା ଜୋନ ଗଠନ କରିବା ପାଇଁ ଆମେ ରୋଡମ୍ୟାପ ପ୍ରସ୍ତୁତ କରୁଅଛୁ ବୋଲି ଶନିବାର ଆସାମର ଗୌହ୍ୱାଟୀ ଠାରେ ଆୟୋଜିତ ଉତର-ପୂର୍ବ ଶିକ୍ଷା ସମ୍ମିଳନୀ ୨୦୨୧କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଶିକ୍ଷା ଦୃଶ୍ୟପଟ୍ଟରେ ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ଶିକ୍ଷା କ୍ଷେତ୍ରରେ ଏକପରିବର୍ତନର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି । ଉତର-ପୂର୍ବରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଶୀଘ୍ର କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ଦିଗ ଉପରେ ବିଚାର କରାଯାଉଛି । ନୂଆ ଶିକ୍ଷାନୀତିରେ ଛାତ୍ରଛାତ୍ରୀମାନେ ବୃୃହତ ଲାଭାର୍ଥୀ ହେବେ ।
ପ୍ରାଥମିକ ଶିକ୍ଷା ସମୟରୁ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଶିକ୍ଷା ଦେବା ସହ ଏକବିଂଶ ଶତାବ୍ଦୀରେ ଜ୍ଞାନ ଓ କୌଶଳ ସହିତପ୍ରସ୍ତୁତ କରିବା ସହ ଯୁବପିଢି ମାନଙ୍କୁ ବୈଶ୍ୱିକ ନାଗରିକ ପାଇଁ ପ୍ରସ୍ତୁତ କରିବାକୁ ଜାତୀୟ ଶିକ୍ଷା ନୀତି ପ୍ରାଧାନ୍ୟ ଦେଉଅଛି । ଜାତୀୟ ଶିକ୍ଷା ନୀତି ଭାରତୀୟ ଜ୍ଞାନ ପଦ୍ଧତି, ଆଂଚଳିକ ଭାଷା, କଳା ଏବଂ ସଂସ୍କୃତିକୁ ଏକତ୍ରୀକରଣ କରିବାରେ ଏକ ଜାଗରଣ ସୃଷ୍ଟି କରିବା ସହିତ ଆମର ବିବିଧତା ଓ ସଭ୍ୟତାକୁ ଉତ୍ସବମୁଖର କରିବା । ଉତର-ପୂର୍ବାଂଚଳ ଭାଷାର ବିବିଧତା ଠାରୁ ବଡ଼ ସାକ୍ଷୀ କେହି ହୋଇପାରିବେ ନାହିଁ । ଏହି ଉତର-ପୂର୍ବାଂଚଳରେ ପ୍ରାୟ ୧୮୦ଟି ଭାଷାଭାଷୀ କହୁଥିବା ଜନଜାତି ବସବାସ କରନ୍ତି । ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଭାଷାର ସମ୍ଭାବନାକୁ ବୃଦ୍ଧି କରିଛି।
ଭାରତରେ ମାତୃଭାଷା ଆଧାରିତ ଶିକ୍ଷା ପାଇଁ ଆସାମ ଏକ ଗନ୍ତାଘର ହେବାକୁ ଯାଉଛି । ଆସାମ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପରି ପ୍ରମୁଖ କ୍ଷେତ୍ରଗୁଡିକୁ ପ୍ରାଥମିକତା ଦେଇଛନ୍ତି ଏବଂ ସରକାରଙ୍କ ସେୟାରକୁ ଶିକ୍ଷା ପାଇଁ ଜିଡିପିର ୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଅପାର ସମ୍ଭାବନାର ଉତର-ପୂର୍ବ ରାଜ୍ୟ ସମୂହ ଏବଂ ଦେଶର ଶିକ୍ଷା କ୍ଷେତ୍ରରେ ଗୌହ୍ୱାଟୀ ପେଣ୍ଠସ୍ଥଳି ହୋଇପାରିବ । ଗୋହ୍ୱାଟୀରେ ଆୟୋଜିତ ଦୁଇଦିନିଆ ଶିକ୍ଷା ସମ୍ମିଳନୀ ଯୁବପିଢ଼ିଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିଶ୍ଚିତ କରିବାରେ ଫଳପ୍ରଦ ହେବ। ଶଙ୍କରଦେବ ଏଜୁକେସନ ଏବଂ ରିସର୍ଚ୍ଚ ଫାଉଣ୍ଡେସନ(ଏସଇଆରଏଫ) ଏବଂ ଆସାମା ସରକାରଙ୍କ ଦ୍ୱାରା ଏହି ଉତର-ପୂର୍ବ ଶିକ୍ଷା ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ଉଦଘାଟନୀ କନକ୍ଲେଭରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଆସାମ ଶିକ୍ଷା ମନ୍ତ୍ରୀ ରନୋଜ ପେଗୁ, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେହିପରି ଦେଶର ଅନେକ ଶିକ୍ଷାବିତ, ଉତର-ପୂର୍ବାଂଚଳର ୮ଟି ରାଜ୍ୟର ଶିକ୍ଷା ପରାମର୍ଶଦାତା, କେନ୍ଦ୍ରୀୟ ଏବଂ
ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରମୁଖ ମହାନୁଭବମାନେ ଏହି କନକ୍ଲେଭରେ ଯୋଗଦେଇଛନ୍ତି ।

Spread the love