କରୋନା ମୁକାବିଲା ପାଇଁ ଏକାଠି ହେବେ ଶାସକ-ବିରୋଧୀ: ବସିବ ସର୍ବଦଳୀୟ ବୈଠକ

ରାଜ୍ୟରେ କୋଭିଡ ସଂକ୍ରମଣ ଚିନ୍ତା ଜନକ ଥିବା ବେଳେ ମୁକାବିଲା ଲାଗି କାଲି ବସିବ ସର୍ବଦଳୀୟ ବୈଠକ । ସ୍ଥିତି ମୁକାବିଲା ଲାଗି ଏକାଠି ହେବେ ବିରୋଧୀ ଓ ଶାସକ । ରାଜ୍ୟରେ କୋଭିଡ ସ୍ଥିତି କିପରି ରହିଛି ଓ ଦ୍ବିତୀୟ ଲହରରେ କୋଭିଡ ପରିଚାଳନା ଲାଗି ଆଉ କଣ କରିହେବ ସେନେଇ ବିଧାୟକ ମାନଙ୍କ ପ୍ରସ୍ତାବ ଲୋଡିଛନ୍ତି ସରକାର । ସେପଟେ ବୈଠକରେ କୋଭିଡ ପରିଚାଳନାରେ କେଉଁଠି ତ୍ରୁଟି ରହିଛି ଓ ସଂକ୍ରମଣ ରୋକିବାକୁ ସରକାର କଣ ପଦକ୍ଷେପ ଦରକାର ସେନେଇ ବିରୋଧୀ କାଲି ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ।

କୋଭିଡ ମୁକାବିଲା ଲାଗି ଏକାଠି ହେବେ ଶାସକ ଓ ବିରୋଧୀ । ଦ୍ବିତୀୟ ଲହରକୁ କିପରି ମୁକାବିଲା କରିହେବ ରଣନୀତି ବାବଦରେ ଆଲୋଚନା ହେବ । ସର୍ବଦଳୟୀର ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିଧାନସଭାରେ କାଲିର ସର୍ବଦଳୀୟ ବୈଠକରେ ବିଧାୟକମାନେ ସରକାରଙ୍କୁ କୋଭିଡ ମୁକାବିଲା ପରିଚାଳନା ନେଇ ପ୍ରସ୍ତାବ ରଖିବେ । କୋଭିଡ ପରିଚାଳନା ନେଇ ଗତ କିଛି ଦିନ ଧରି ସରକାରଙ୍କୁ କଠୋର ସମାଲୋଚନା କରିଆସୁଥିବା ବିରୋଧୀ ନିଜ ନିଜ ପ୍ରସଙ୍ଗ ଉତଥାପନ କରିବେ।

ସରକାରୀ ହସ୍ପିଟାଲରେ ଷ୍ଟାଫ ବଢାଇବା , ଟିକା କରଣକୁ ସୁବ୍ୟବସ୍ଥିତ କରିବା, ଅକ୍ସିଜେନ ସପ୍ଲାଏ ନିୟନ୍ତ୍ରଣରେ ରଖିବା, ଗ୍ରାମାଞ୍ଚଳରେ କେମିତି ଟେଷ୍ଟି, ଟ୍ରେସିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ବ ଦିଆଯିବ ସେ ବାବଦରେ ବୈଠକରେ ଆଲୋଚନା ହେବ। କରୋନା ପରିଚାଳନା ମନିଟରିଙ୍ଗ ଲାଗି ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ ସହ ପଞ୍ଚାୟତ ସ୍ତରରେ ଅକସିମିଟର ପରି ସରାଞ୍ଜାମ ଯୋଗାଇ ଦେଇ ସରପଞ୍ଚ ମାନଙ୍କୁ ପୂର୍ବପରି ଦାୟିତ୍ବ ଦେବାକୁ ସରକାରଙ୍କୁ ପରାମର୍ଶ ଦେବେ ବିରୋଧୀ।

କୋଭିଡ ସଂକ୍ରମଣ ପ୍ରଥମ ଲହର ସମୟରେ କରୋନା ମୁକାବିଲାରେ ବିରୋଧୀ- ଶାସକ ଏକାଠି ବୋଲି ବାର୍ତ୍ତା ଦେଇଥିଲେ । ବିଧାନସଭାରୁ ହାତ ଧୁଆ କାର୍ଯ୍ୟକ୍ରମ କରି ରାଜ୍ୟବାସୀଙ୍କୁ ସଚେତନତା ବାର୍ତ୍ତା ବି ଦେଇଥିଲେ । ହେଲେ ଦ୍ଵିତୀୟ ଲହର ବେଳେ ସରକାର ବିରୋଧୀଙ୍କୁ ବିଶ୍ବାସ ନନେବା ନେଇ ପ୍ରଶ୍ନ ଉଠିଥିଲା । ଜାତୀୟ ସ୍ତରରେ ବିରୋଧୀ କେନ୍ଦ୍ର ସରକାରଙ୍କ କରୋନା ପରିଚାଳନାକୁ ନେଇ ବାରମ୍ବାର ଘେରୁଛନ୍ତି। ଏହି ସମୟରେ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ଅଲଗା ବାର୍ତ୍ତା ଦେବାକୁ ଚାହିଁଛନ୍ତି। ସେପଟେ ବିଜେଡି କହିଛି ଦିଲ୍ଲୀ, ଗୁଜୁରାଟ, ୟୁପି, ମରାରାଷ୍ଟ୍ର ଭଳି ବଡ ବଡ ରାଜ୍ୟ ତୁଳନାରେ ଓଡିଶାରେ କରୋନା ମୁକାବିଲା ପରିଚାଳନା ବହୁତ ଭଲ ରହିଛି । ।

କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡାକି ବିଚାର ବିମର୍ଶ କରି ମୁକାବିଲା ବାଟ ଖୋଜିବାକୁ ପରାମର୍ଶ ଦେଇଥିଲେ । ଏବେ ସରକାର ବିରୋଧୀଙ୍କୁ ସାଙ୍ଗରେ ନେଇ କରୋନା ସହ ଲଢିବାର କି ନୂଆ ଫର୍ମୁଲା ବାହାର କରୁଛନ୍ତି ତାହା ସର୍ବଦଳୀୟ ବୈଠକ ସ୍ପଷ୍ଟ କରିବ।

Spread the love